ବିଜେପି ବିକାଶର ଡବଲ ଇଞ୍ଜିନ କଥା କହୁଛି । ବଡ ବଡ ପ୍ରତିଶ୍ରୁତିରେ ପୋତି ପକାଉଛି । ମୋଦି ସରକାର ଆସିଲେ ଲୋକଙ୍କ ଦୁଃଖ ଦୂର ହେବ ବୋଲି କହୁଛି । ହେଲେ ବିଜେପି ପ୍ରତି କିଛି ସ୍ଥାନରେ ବିମୁଖତା ଦେଖାଦେଇଛି । ଯାହାର ଚିତ୍ର ଦେଖିବାକୁ ମିଳିଛି ଆଜମଗଡରେ । ଏକ ସଭାରେ ନିଜେ ସାଂସଦ ଓ ବିଜେପି ରାଜ୍ୟ ସଭାପତି ଉପସ୍ଥିତ ଥିବା ବେଳେ କୌଣସି ଲୋକ ନ ଆସିବା ବିଜେପିର ବିଜୟ ସମ୍ଭାବନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆଜମଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ବିଜେପି ରାଜ୍ୟ ସଭାପତି ମହେନ୍ଦ୍ର ନାଥ ପାଣ୍ଡ୍ୟା ଯୋଗ ଦେଇଥିବା ବେଳେ ନିଜେ ସାଂସଦ ନୀଲମ ସୋନକର ମଧ୍ୟ ଉପସ୍ଥିତ ଥିଲେ। ତେବେ ସଭାକୁ ସାଧାରଣ ଲୋକ ଆସି ନଥିଲେ। କେବଳ କିଛି ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ତେଣୁ ଚେୟାର ସବୁ ଫାଙ୍କା ପଡ଼ିଥିଲା। ସଭାର ଏପରି ସ୍ଥିତି ଦେଖି ନିଜେ ସାଂସଦ କାନ୍ଦି ପକାଇଥିଲେ। ଶନିବାର ଅମ୍ବୋରି ଜିଲ୍ଲାରେ ଆୟୋଜିତ ହୋଇଥିବା ଏହି ସଭାରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଡ୍ୟାନ୍ସ ପ୍ରୋଗ୍ରାମ୍ ମଧ୍ୟ ରଖାଯାଇଥିଲା। ହେଲେ ଶହେରୁ ଦେଢ଼ଶହ ଦଳୀୟ କର୍ମୀଙ୍କୁ ଛାଡ଼ି ଦେଲେ ଆଉ କେହି ଆସି ନଥିଲେ। ସ୍ଥାନୀୟ ନେତାମାନେ ସଭାକୁ ସାଧାରଣ ଲୋକଙ୍କୁ ଆଣିବା ପାଇଁ ସମସ୍ତ ପ୍ରୟାସ କରିଥିଲେ। ବହୁ କଷ୍ଟରେ କିଛି ଲୋକ ଆସିଥିଲେ। ତେବେ ବିଜେପି ରାଜ୍ୟ ସଭାପତି ମଞ୍ଚରେ ପହଞ୍ଚିବା ବେଳକୁ ସେମାନେ ସେଠାରୁ ଫେରି ଆସିଥିଲେ।
ଆଜମଗଡ଼ ଆସନ ପାଇଁ ନୀଲମ ସୋନକର ଏଥର ପୁଣି ପ୍ରାର୍ଥୀ ହୋଇଥିବା ବେଳେ ମହାମେଣ୍ଟ ପକ୍ଷରୁ ବିଏସ୍ପି ନେତ୍ରୀ ସଙ୍ଗୀତା ଆଜାଦ୍ ପ୍ରାର୍ଥୀ ହୋଇଛନ୍ତି।
6034total visits,2visits today