ଦୃଶ୍ୟମ୍ ଦେଖି ବାପାକୁ ହତ୍ୟା, ଗୋଟିଏ ଫୋନ୍ କଲ୍ ଧରାଇଦେଲା
ବିହାରର ସମସ୍ତିପୁରରେ ବଲିଉଡ୍ କ୍ରାଇମ୍ ଥ୍ରିଲର ‘ଦୃଶ୍ୟମ୍’କୁ ଦେଖି ଜଣେ ବ୍ୟକ୍ତି ନିଜ ବାପାଙ୍କୁ ହତ୍ୟା ଲାଗି ଯୋଜନା କଲେ । ହତ୍ୟାକାଣ୍ଡଟି ଜୁଲାଇ ୨୬ ତାରିଖ ବିଳମ୍ବିତ ରାତ୍ରିର । ସମସ୍ତିପୁର ଜିଲ୍ଲାର ଦରୱା ଗାଁରେ ନିଜ ଘର ବାହାରେ ଶୋଇଥିବା ରଘୁବୀର ସାହନି(୫୦)ଙ୍କୁ କେହି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ । ରଘୁବୀରଙ୍କ ମୁଣ୍ଡ ଉପରେ କୁରାଢ଼ୀ ଦ୍ୱାରା ବାରମ୍ବାର ଆକ୍ରମଣ କରାଯାଇଥିଲା ।
ତାଙ୍କର ମୃତ୍ୟୁ ପରେ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲେ । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଶବକୁ ପୋଷ୍ଟମର୍ଟମ ଲାଗି ପଠାଇଥିଲା । ଫରେନସିକ୍ ଟିମ୍ ଘଟଣାସ୍ଥଳର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ । ପ୍ରାଥମିକ ତଦନ୍ତରୁ ଏହି କାଣ୍ଡ ବାହାର ଲୋକ ନୁହଁ, ବରଂ ରଘୁବୀରଙ୍କ କେହି ଘନିଷ୍ଠ ସଂପର୍କୀୟ କରିଥିବା ପୁଲିସ ଆଶଙ୍କା କଲା । ଏହାପରେ ମୃତକଙ୍କ ପରିଜନମାନଙ୍କ ଗତିବିଧି ଉପରେ ନଜର ରଖାଗଲା । ଶେଷରେ ପୁଅ ଶିବଶଙ୍କରଙ୍କ ଉପରେ ପୁଲିସର ସନ୍ଦେହ ଦୃଢ଼ୀଭୂତ ହେଲା ।
ପୁଲିସ ମୁତାବକ, ପିତାଙ୍କ ସହ ଶିବଶଙ୍କରଙ୍କ ଜମି ବିକ୍ରିକୁ ନେଇ ବିବାଦ ଥିଲା । ରଘୁବୀର ତାଙ୍କ ପତ୍ନୀଙ୍କୁ ମଧ୍ୟ ଗାଳି ଦେଉଥିଲେ । ସେଥିଯୋଗୁ ବାଧ୍ୟହୋଇ ଶିବଶଙ୍କର ପତ୍ନୀଙ୍କୁ ନେଇ ସୁରଟରେ ଯାଇ ରହୁଥିଲେ । ଏପରିକି ସେ ପିତାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ବି ସାମିଲ ହୋଇନଥିଲେ । ଜେରାବେଳେ ସେ ପିତାଙ୍କୁ ହତ୍ୟା କରିଥିବା ମାନିଛନ୍ତି ।
ସୁରଟରେ ରହଣିବେଳେ ଶିବଶଙ୍କର ‘ଦୃଶ୍ୟମ୍’ ଫିଲ୍ମ ଦେଖିଥିଲେ । ସେଥିରେ ମୁଖ୍ୟ ଚରିତ୍ର ବିଜୟ ସାଲଗାଓଁକର ଏକ ହତ୍ୟା ପରେ ନିଜ ପରିବାରର ସୁରକ୍ଷା ଲାଗି ଘଟଣାର ସମୟସୀମାକୁ ପରିବର୍ତ୍ତନ କରି ପୁଲିସକୁ ଚକ୍ମା ଦେବାରେ ସଫଳ ହୋଇଥିବା ବର୍ଣ୍ଣିତ ହୋଇଛି । ସେଥିରୁ ପ୍ରଭାବିତ ହୋଇ ଶିବଶଙ୍କର ପିତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ । ସେ ଅନୁସାରେ ସୁରଟରୁ ନିଜ ଗାଁ ଅଭିମୁଖେ ପ୍ରାୟ ୨୦୦୦ କିମି ଆସିଥିଲେ । କେହି ଯେପରି ତାଙ୍କର ଲୋକେସନ୍ ଟ୍ରାକ୍ କରି ନ ପାରିବେ ସେଥିଲାଗି ଟ୍ରେନ୍ ଯାତ୍ରା ଆରମ୍ଭ ପୂର୍ବରୁ ନିଜ ମୋବାଇଲ୍ ସ୍ୱିଚ୍ ଅଫ୍ କରିଦେଇଥିଲେ । ହତ୍ୟାକାଣ୍ଡ ଦିନ ଶିବଶଙ୍କର ସନ୍ଧ୍ୟାରେ ହାଜିପୁରରୁ ଟ୍ରେନ୍ ଧରି ପଟୋରୀ ଷ୍ଟେସନ୍ରେ ଓହ୍ଲାଇଥିଲେ । ସେଠାରୁ ଅଟୋ ନେଇ ଜୋରପୁରା ଏବଂ ଶେଷରେ ୪ କିମି ଚାଲି ରାତି ୧୨ରେ ଘରେ ପହଞ୍ଚିଥିଲେ । ପଛଦ୍ୱାର ଦେଇ ସେ ଘରେ ପଶିଥିଲେ । ଏହାପରେ ଏକ କୋଠରୀରୁ କୁରାଢ଼ୀ ବାହାର କରି ବାହାରେ ଶୋଇଥିବା ପିତା ରଘୁବୀର ସାହନିଙ୍କ ଉପରେ ଆକ୍ରମଣ କରିଥିଲେ । ଏହାପରେ ଶିବଶଙ୍କର ପୁଣି ପଟୋରୀ ଷ୍ଟେସନ୍ ଅଭିମୁଖେ ବାହାରି ଯାଇଥିଲେ । ତାଙ୍କର ଏହି ବର୍ବରକାଣ୍ଡ ବିଷୟରେ କେହି କେବେ ଜାଣିପାରିବେ ନାହିଁ ବୋଲି ସେ ଭାବିଥିଲେ । କିନ୍ତୁ ପତ୍ନୀଙ୍କୁ କରିଥିବା ଏକ ଫୋନ୍ କଲ୍ ତାଙ୍କୁ ଧରା ପକାଇ ଦେଇଛି ।
Powered by Froala Editor