ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ
କୌଣସି ରୋଗର ପ୍ରଥମ ସଙ୍କେତ ଓଠରୁ ଜଣା ପଡ଼ିଥାଏ। ଓଠର ରଙ୍ଗରେ ହେଉଥିବା ପରିବର୍ତ୍ତନ ଜଣାଇଦିଏ ଶରୀରରେ କେଉଁ ପ୍ରକାର ବିଶୃଙ୍ଖଳା ସୃଷ୍ଟି ହୋଇଛି। ତା’ହେଲେ ଆସନ୍ତୁ ଜାଣିବା ଶରୀରରେ କେଉଁ ପ୍ରକାରର ବିଶୃଙ୍ଖଳା ଦେଖାଦେଲେ ଓଠର ରଙ୍ଗ କେମିତି ହୋଇଯାଏ।
ଗାଢ଼ ଲାଲ୍ ରଙ୍ଗ
ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାରିଲେ ଓଠ ଗାଢ଼ ଲାଲ୍ ହୋଇଯାଏ। ଶରୀରରେ ଭିଟାମିନ-ବି କମ୍ପ୍ଲେକ୍ସ ଓ ଭିଟାମିନ ‘ସି’ର ଅଭାବରୁ ମଧ୍ୟ ଓଠ ଗାଢ଼ ଲାଲ୍ ହୋଇଯାଏ।
ହଳଦିଆ ରଙ୍ଗ
ରକ୍ତରେ ବିଲୁରୁବିନ ମାତ୍ରା ବଢ଼ିଲେ ଓଠର ରଙ୍ଗ ହଳଦିଆ ହୋଇଯାଏ। ଲିଭର୍ ସମ୍ୱନ୍ଧୀୟ କୌଣସି ସମସ୍ୟା ଦେଖା ଦେଲେ କିମ୍ୱା ଏହା ସଠିକ୍ ଭାବେ କାମ ନକଲେ ମଧ୍ୟ ଓଠ ହଳଦିଆ ପଡ଼ିଯାଏ।
ଓଠ ଧଳା ହୋଇଯିବା
ଶରୀରରେ ରକ୍ତର ଅଭାବରୁ ଏପରି ହୁଏ। ଆଇରନ ଯୁକ୍ତ ଖାଦ୍ୟ ଶରୀରର ରକ୍ତର ଆବଶ୍ୟକତା ପୂରଣ କରେ। ଓଠ ହଠାତ୍ ଧଳା ହୋଇଯିବା ସ୍ୱାସ୍ଥ୍ୟ ପ୍ରତି ଖରାପ ସଙ୍କେତ ହୋଇଥାଏ।
ଗୋଲାପୀ ରଙ୍ଗ
ଏହା ସୁସ୍ଥ ଓଠର ସଙ୍କେତ ହୋଇଥାଏ। ଶରୀରକୁ ଫିଟ୍ ରଖିବା ପାଇଁ ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି ଓ ବ୍ୟାୟାମ କରୁଛନ୍ତି ତାହା ଆପଣଙ୍କ ପାଇଁ ଅନୁକୂଳ। ଏହି ଅଭ୍ୟାସ ବଜାୟ ରଖନ୍ତୁ।
ନୀଳ ଓଠ
ଫୁସ୍ଫୁସ୍ କିମ୍ୱା ହୃତ୍ପିଣ୍ଡ ଠିକ୍ ଭାବେ କାର୍ୟ୍ୟ କରୁନଥିଲେ ରକ୍ତରେ ଅକ୍ସିଜେନର ପରିମାଣ କମିଯାଏ ଓ କାର୍ବନଡାଇଅକ୍ସାଇଡ ପରିମାଣ ବଢ଼ିଯାଏ। ତେଣୁ ଓଠ ନୀଳ ଦେଖାଯାଏ। ଏହା ଆଦୌ ଏକ ଭଲ ସଂକେତ ନୁହେଁ। ଓଠ ନୀଳ ପଡ଼ିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
Powered by Froala Editor