ମିଠା ଭାବି ଖାଇଦେଲେ ବୋମା, ଚାଲିଗଲା ଯୁବକଙ୍କ ଜୀବନ
ରସଗୋଲା କହି ଜଣେ ବ୍ୟକ୍ତିଙ୍କୁ ଦେଶୀ ବୋମା ଖୁଆଇଦେବା ଅଭିଯୋଗ । ମୁହଁରେ ପକାଇ କାମୁଡ଼ିବା ମାତ୍ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଏଥିରେ ଘଟଣାସ୍ଥଳରେ ହିଁ ଜୀବନ ହରାଇଛନ୍ତି ଜଣେ ବ୍ୟକ୍ତି । ନଭେମ୍ବର ୧୦ ତାରିଖ ମଙ୍ଗଳବାର ରାତିରେ ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲାର ପଡ଼ାରିଆ ଗାଁରେ ଏହି ଘଟଣା ଘଟିଛି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ମୃତକଙ୍କ ନାମ ରାଜେନ୍ଦ୍ର ବାରୋଟିଆ। ସେ ନିଜ ଘରେ ବସିଥିବା ବେଳେ ଅଭିଯୁକ୍ତ ରାମ ଭଗତ ବାରୋଟିଆ ସେଠାରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ସମୟରେ ରାମ ଭଗତ ଏକ ଦେଶୀ ବୋମାକୁ ରସଗୋଲା ବୋଲି କହି ରାଜେନ୍ଦ୍ରଙ୍କୁ ଦେଇଥିବା ଅଭିଯୋଗ ହୋଇଛି । ଏହା ସାଧାରଣ ରସଗୋଲା ନଥିଲା। ଏହା ଭିତରେ ଲୁଚାଇ ରଖାଯାଇଥିଲା ଦେଶୀ ବୋମା। ଜଙ୍ଗଲୀ ବାରହା ଶିକାର ପାଇଁ କେତେକ ଅଞ୍ଚଳରେ ଏଭଳି ବିସ୍ଫୋରକ ବ୍ୟବହାର କରାଯାଏ। ଅଟା କିମ୍ବା ଅନ୍ୟ ପଦାର୍ଥର ଗୋଲା ଭିତରେ ବିସ୍ଫୋରକ ରଖି ଏହାକୁ ମିଠା ଭଳି ଆକାର ଦିଆଯାଏ। ରାଜେନ୍ଦ୍ର ଏହାକୁ ରସଗୋଲା ଭାବି ପାଟିରେ ପକାଇ କାମୁଡ଼ିବା ମାତ୍ରେ ବୋମାଟି ବିସ୍ଫୋରଣ ହୋଇଥିଲା।
ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ତେବେ ଏହା ପଛରେ ହତ୍ୟା ଉଦ୍ଦେଶ୍ୟ ଥିଲା ନା କେବଳ ଦୁଷ୍ଟାମୀ, ତାହା ଏବେ ସ୍ପଷ୍ଟ ହୋଇନାହିଁ।
ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଘଟଣା ସମୟରେ ଅନ୍ଧାର ଥିବାରୁ ରାଜେନ୍ଦ୍ରଙ୍କୁ ତାଙ୍କୁ ଦିଆଯାଇଥିବା ଜିନିଷଟି ବୋମା ନା ରସଗୋଲା, ତାହା ସ୍ପଷ୍ଟ ଜଣାପଡ଼ିନଥିଲା। ସେ ଏହାକୁ କାମୁଡ଼ିବା ମାତ୍ରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରକ କେଉଁଠୁ ଆସିଲା, କିଏ ଏହାକୁ ଯୋଗାଇଥିଲା ଏବଂ ଏହି ଘଟଣା ପଛରେ ଆଉ କାହାର ହାତ ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଗୋଟିଏ ମିଠା ରସଗୋଲା ଯେ ମୃତ୍ୟୁର କାରଣ ପାଲଟିବ, ତାହା କେହି କେବେ କଳ୍ପନା ବି କରିନଥିଲେ।
Powered by Froala Editor