ସ୍ୱାଭିମାନ ବିବାହ କଲେ ଅନିରୁଦ୍ଧ-କାବ୍ୟା
ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବଂ ଉଦ୍ୟୋଗୀ ତଥା ସନରାଇଜର୍ସ ହାଇଦ୍ରାବାଦର ମାଲିକାଣି କାବ୍ୟା ମାରନ୍ ଗ୍ରୀସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ଗ୍ରୀସରେ ଡେଷ୍ଟିନେସନ ୱେଡିଂ କରିଛନ୍ତି। ତେବେ ଏହି ବିବାହର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ପାରମ୍ପରିକ ଧାର୍ମିକ ରୀତିନୀତି ବଦଳରେ ଉଭୟ ‘ସ୍ୱାଭିମାନ ବିବାହ’ ବା ସେଲ୍ଫ ରେସ୍ପେକ୍ଟ ମ୍ୟାରେଜ୍କୁ ବାଛିଛନ୍ତି। ନା ଥିଲା ବେଦୀ, ନା ଥିଲା ହୋମ ନିଆଁ। ଉଭୟ ଧର୍ମରେ ହିନ୍ଦୁ ହେଲେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ନ କରି ସ୍ୱାଭିମାନ ବିବାହ କରିଛନ୍ତି।
ଏହି ବିବାହ ଉତ୍ସବରେ କେବଳ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଓ କିଛି ସେଲିବ୍ରିଟି ଯୋଗ ଦେଇଥିଲେ। ସୁପରଷ୍ଟାର ରଜନୀକାନ୍ତ ଏବଂ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ଉପସ୍ଥିତ ଥିଲେ। ଡ. ଟି.ଆର୍.ବି. ରାଜା ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଜଣାଇଛନ୍ତି ଯେ, ପରିବାରବର୍ଗ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଅନିରୁଦ୍ଧ ଏବଂ କାବ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇଛନ୍ତି।
ତେବେ ଆସନ୍ତୁ ଜାଣିବା, ଏହି 'ଆତ୍ମସମ୍ମାନ ବିବାହ' ବା (self-respect marriage) ପ୍ରକୃତରେ କ’ଣ? ତାମିଲ୍ ଭାଷାରେ 'ଆତ୍ମ-ସମ୍ମାନ ବିବାହ'କୁ 'ସୁୟମରିୟାଥାଇ ତିରୁମାନମ୍' (Suyamariyathai Thirumanam) ବୋଲି କୁହାଯାଏ। ଏହାର ଉତ୍ପତ୍ତି ତାମିଲନାଡୁରେ ହୋଇଥିଲା ଏବଂ ଏହା ସାମାଜିକ ସଂସ୍କାରକ ପେରିୟାର ଇ. ଭି. ରାମାସ୍ବାମୀଙ୍କ ନେତୃତ୍ୱରେ ପରିଚାଳିତ 'ଆତ୍ମ-ସମ୍ମାନ ଆନ୍ଦୋଳନ'ର ଏକ ଅଂଶ ଥିଲା। ଏହି ଆନ୍ଦୋଳନର ଲକ୍ଷ୍ୟ ଥିଲା ଜାତିଭିତ୍ତିକ ଭେଦଭାବ, ସାମାଜିକ ଉଚ୍ଚନିଚ୍ଚ ଏବଂ ପୁରୁଷପ୍ରଧାନ ପରମ୍ପରାକୁ ଚ୍ୟାଲେଞ୍ଜ କରିବା। ଏହା ବ୍ୟତୀତ, ସମାଜରେ ସମାନତା ଏହାର ଏକ ମୁଖ୍ୟ ଉଦ୍ଦେଶ୍ୟ ଥିଲା।
Powered by Froala Editor