ମିନି ବସ୍ ଓ କଣ୍ଟେନର ଟ୍ରକ୍ ଧକ୍କାରେ ୨୪ ଜଣଙ୍କ ମୃତ୍ୟୁ
ଆସାମର ଗୋଲାଘାଟ ଜିଲ୍ଲା କାଜିରଙ୍ଗାରେ ମିନି ବସ୍ ଓ କଣ୍ଟେନର ଟ୍ରକ୍ ମଧ୍ୟରେ ଭୟଙ୍କର ମୁହାଁମୁହିଁ ଧକ୍କାରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ଜାତୀୟ ରାଜପଥ ୭୧୫ରେ ହାତିଖୁଲି ଚା' ବଗିଚା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ୩୫ରୁ ଅଧିକ ଯାତ୍ରୀଙ୍କୁ ଧରି ଗୋଲାଘାଟରୁ ନଗାଓଁ ଅଭିମୁଖେ ଯାଉଥିବା ମିନି ବସ୍ଟି ସାମ୍ନା ପଟୁ ଆସୁଥିବା କଣ୍ଟେନର ଟ୍ରକ୍ ସହ ପିଟି ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମିନି ବସ୍ଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା ।
ଗୁରୁତରଙ୍କୁ ଜୋରହାଟ ମେଡିକାଲ କଲେଜ ସମେତ ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି । ମନ୍ତ୍ରୀ ଅତୁଲ ବୋରା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶୋକ ପ୍ରକାଶ କରିଛନ୍ତି ।
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ମିନି ବସ୍ଟି ଅତ୍ୟଧିକ ବେଗରେ ଯାଉଥିଲା । କାଜିରଙ୍ଗା ନିକଟରେ ଗତିସୀମା ନିର୍ଦ୍ଧାରିତ ଥିବା ସତ୍ତ୍ୱେ ଏହାକୁ ଅଣଦେଖା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ଗାଡ଼ିଟିର ପୂର୍ବରୁ ୧୨ଟି ଟ୍ରାଫିକ୍ ଚାଲାଣ ଥିବା ଏବଂ ଆଉ ଗୋଟିଏ ଚାଲାଣ ବକେୟା ଥିବା ମଧ୍ୟ ରିପୋର୍ଟରେ ଆସିଛି ।
Powered by Froala Editor