ହେଲମେଟ ବ୍ୟବହାର ନ କରିବା ଅଭିଯୋଗରେ ଅଟୋ ଚାଳକଙ୍କୁ ଫାଇନ୍
ବାଇକ ଚାଳକଙ୍କ ବଦଳରେ ଜଣେ ଅଟୋ ଚାଳକଙ୍କ ମୋବାଇଲକୁ ଆସିଛି ହେଲମେଟ ନ ପିନ୍ଧିବାର ଚାଲାଣ। ଗଞ୍ଜାମ ସହରର ପ୍ରଫୁଲ୍ଲ କୁମାର ପଣ୍ଡା ଗତ ସୋମବାର ନିଜ ଅଟୋ ନେଇ ଭଡ଼ାରେ ବ୍ରହ୍ମପୁର ଯାଇଥିଲେ। ଘରକୁ ଫେରିବା ପରେ ତାଙ୍କ ମୋବାଇଲକୁ ହେଲମେଟ ପିନ୍ଧି ନ ଥିବା ନେଇ ଏକ ଇ-ଚାଲାଣ ମେସେଜ ଆସିଥିଲା। ଏଥିରେ ହେଲମେଟ ବ୍ୟବହାର ନ କରିବା ଅଭିଯୋଗରେ ୧ ହଜାର ଟଙ୍କା ଜରିମାନା ଦେବାକୁ ଉଲ୍ଲେଖ ରହିଥିଲା।
ଏହାକୁ ନେଇ ସମ୍ପୃକ୍ତ ଅଟୋ ଚାଳକ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିବା ଜଣାପଡ଼ିଛି। ମେସେଜ ପାଇବା ପରେ ପ୍ରଫୁଲ୍ଲ ଅଗସ୍ତି ନୂଆଗାଁସ୍ଥିତ ଜିଲ୍ଲା ପରିବହନ କାର୍ଯ୍ୟାଳୟକୁ ଯାଇ ଆରଟିଓ କର୍ମଚାରୀଙ୍କୁ ଚାଲାଣ ନୋଟିସ ଦେଖାଇଥିଲେ। ତେବେ ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ଏହି ଚାଲାଣ ସେମାନଙ୍କ କାର୍ଯ୍ୟାଳୟରୁ କଟାଯାଇ ନ ଥିବା କୁହାଯାଇଥିଲା। ଏହାପରେ ସେ ଜାତୀୟ ରାଜପଥ ସୁରକ୍ଷା ଅଧିକାରୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ସେଠାରୁ ମଧ୍ୟ କୌଣସି ସମାଧାନ ନ ମିଳିବାରୁ ଶେଷରେ ଗଣମାଧ୍ୟମର ସହଯୋଗ ଲୋଡ଼ିଛନ୍ତି। କେବଳ ପ୍ରଫୁଲ୍ଲ ନୁହନ୍ତି, ଅନ୍ୟ କେତେକ ଲୋକଙ୍କ ମୋବାଇଲକୁ ମଧ୍ୟ ଏଭଳି ଚାଲାଣ ମେସେଜ ଆସୁଥିବା ଅଭିଯୋଗ ହୋଇଛି।
Powered by Froala Editor