ବ୍ରିଜା କାର୍ ଯୌତୁକ ମାଗି ଚାକିରିରୁ ନିଲମ୍ବିତ ହେଲେ ପୁଲିସ କନଷ୍ଟେବଳ
ନୂଆଦିଲ୍ଲୀ: ହରିୟାଣାରେ ଯୌତୁକରେ ଦାମି କାର ଦାବିରେ ବିବାହ ବାତିଲ କରିଥିବା ଦିଲ୍ଲୀ ପୁଲିସ୍ କନଷ୍ଟେବଳ କୁଲଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଇନ ଅନୁସାରେ ଦିଲ୍ଲୀ ପୁଲିସ୍ ତାଙ୍କୁ ଚାକିରିରୁ ନିଲମ୍ବନ କରିଛି । ବିବାହ ପାଇଁ ୧୩ ଲକ୍ଷର କାର୍ ଦାବି କରି କୁଳଦୀପ ବିବାହ ଭାଙ୍ଗିଦେଇଥିଲେ । ଏନେଇ କନ୍ୟା ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।
ସୂଚନା ଅନୁଯାୟୀ ପ୍ରାୟ ୬ମାସ ପୂର୍ବରୁ କୁଲଦୀପ ଓ ହୀନାଙ୍କ ବିବାହ ସ୍ଥିର ହୋଇଥିଲା । ନଭେମ୍ବର ୨୦ରେ ବିବାହ ହେବାର ଥିଲା । ବିବାହର ସବୁପ୍ରକାର କଥା ସ୍ଥିର ହେବା ପରେ ବର ପକ୍ଷରୁ ଗାଡି ଓ ସୁନା ଗହଣା ଦାବି କରାଯାଇଥିଲା । ବର ପାଇଁ ପୂର୍ବରୁ ହିଁ ଔରା କାର୍ ବୁକ୍ କରିସାରିଥିଲେ ହୀନାଙ୍କ ବାପା । ତେବେ ବିବାହର ଗୋଟିଏ ଦିନ ପୂର୍ବରୁ ସେ ମଧ୍ୟସ୍ଥିଙ୍କ ଜରିଆରେ ଜାଣିବାକୁ ପାଇଥିଲେ ଯେ କୁଲଦୀପ ଏହି ଗାଡିରେ ସନ୍ତୁଷ୍ଟ ନୁହନ୍ତି ଏବଂ ଏହା ବଦଳରେ ଏକ ମାରୁତି ବ୍ରିଜା ଚାହିୁଁଛନ୍ତି । ସଙ୍ଗେସଙ୍ଗେ ବୁକ୍ ହୋଇଥିବା କାର୍ କ୍ୟାନସଲ କରି ବର ଚାହୁଁଥିବା କାର୍ ବୁକ୍ କରାଗଲା ।
ହେଲେ ମାମଚାନ୍ଦ ବାଟିକାରେ ବିବାହ ଉତ୍ସବ ଦିନ ବରବେଶରେ ଆସିନଥିଲେ କୁଲଦୀପ । ମାଙ୍କ ସହ ସାଧା ପୋଷାକରେ ଆସି କାର୍ ବିଷୟରେ ପଚାରିଥିଲେ ତାପରେ ଯୁକ୍ତିତର୍କ ହୋଇଥିଲା । ଏପରିକି କନ୍ୟା ପକ୍ଷ ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ । ଶେଷରେ କନ୍ୟାକୁ ବାହାବେଦିରେ ବସିଥିବାର ଛାଡି ବର ଫେରିଯାଇଥିଲା। ଘଟଣା ପରେ ହୀନାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ବାବୁଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।
Powered by Froala Editor