ପ୍ରେସର କୁକରରେ ସିଝିଲାନି ଡାଲି, କ୍ଷତିପୂରଣ ଦେଲା କମ୍ପାନୀ
୩ରୁ ୪ଟି ସିଟି ବାଜିବା ପରେ ମଧ୍ୟ ପ୍ରେସର କୁକରରେ ଭାତ ଓ ଡାଲି ଠିକ୍ ଭାବରେ ନ ସିଝିବା କମ୍ପାନୀ ଓ ଦୋକାନୀଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାରେ ବିଶାଖାପାଟଣା ଜିଲା ଉପଭୋକ୍ତା ବିବାଦ ନିବାରଣ କମିଶନ(ଡିସିଡିଆର୍ସି) ସମ୍ପୃକ୍ତ ଦୋକାନୀ, ଡିଲର ଏବଂ ଉକ୍ତ ରୋଷେଇ ଉପକରଣ କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରିବା ସହ ଅଭିଯୋଗକାରିଣୀଙ୍କୁ ୧୬,୭୫୫ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଡିସିଡିଆର୍ସି ଅଧ୍ୟକ୍ଷ ଗୁଡ୍ଲା ତନୁଜା ଏବଂ ସଦସ୍ୟ ଭାର୍ଡି କ୍ରିଷ୍ଣା ମୂର୍ତ୍ତି ଓ ରହିମୁନ୍ନିସା ବେଗମ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଅକ୍ଟୋବର ୩୧ ତାରିଖରେ ଏହି ମାମଲାର ଚୂଡ଼ାନ୍ତ ରାୟରେ କହିଛନ୍ତି, ପ୍ରେସର କୁକର ଦୈନନ୍ଦିନ ଜୀବନର ଏକ ଅତି ମୌଳିକ ଓ ଜରୁରୀ ସାମଗ୍ରୀ। ଏହାର ବ୍ୟବହାର ଅଭାବରୁ ଅଭିଯୋଗକାରିଣୀ ଯଥେଷ୍ଟ ମାନସିକ କଷ୍ଟ ଓ ଯନ୍ତ୍ରଣା ଭୋଗିଛନ୍ତି। ତେଣୁ ସେବାରେ ତ୍ରୁଟି ପାଇଁ ପ୍ରତିପକ୍ଷମାନେ ଯୁକ୍ତିଯୁକ୍ତ କ୍ଷତିପୂରଣ ଏବଂ ମାମଲା ଖର୍ଚ୍ଚ ଦେବାକୁ ବାଧ୍ୟ। ଏଥିପାଇଁ କୁକର ମୂଲ୍ୟ ୧୭୫୫ଟଙ୍କା ଏବଂ ବିବାଦ ଖର୍ଚ୍ଚ ଏବଂ କ୍ଷତିପୂରଣ ବାବଦକୁ ୧୫ହଜାର ଟଙ୍କା ଏପରି ମୋଟ ୧୬,୭୫୫ଟଙ୍କା ଅଭିଯୋଗକାରିଣୀଙ୍କୁ ପ୍ରଦାନ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁଯାୟୀ, ଅଭିଯୋଗକାରିଣୀ ଏକ ଦୋକାନରୁ ୟୁପିଆଇ ମାଧ୍ୟମରେ ୧,୭୫୫ ଟଙ୍କା ଦେଇ ୪ ଲିଟର କ୍ଷମତା ବିଶିଷ୍ଟ ଏକ ନାମୀ କମ୍ପାନୀର ଡିପ୍ ପ୍ୟାନ୍ ପ୍ରେସର କୁକର କିଣିଥିଲେ। କିଣିବା ଦିନ ହିଁ ସେଥିରେ ଭାତ ରାନ୍ଧିବା ବେଳେ ୩ରୁ ୪ଟି ସିଟି ବାଜିବା ପରେ ମଧ୍ୟ ଭାତ ଅଧା ସିଝା ରହିଥିଲା। ପରଦିନ ଡାଲି ରାନ୍ଧିବାବେଳେ ମଧ୍ୟ ସମାନ ସମସ୍ୟା ଉପୁଜିବାରୁ ସେ ଏନେଇ ସମ୍ପୃକ୍ତ ଦୋକାନୀଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ଦୋକାନୀ ମହିଳାଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ, ତାଙ୍କୁ ଦୁର୍ୱ୍ୟବହାର ପ୍ରଦର୍ଶନ କରିବା ସହ ସିଧା ସର୍ଭିସ ସେଣ୍ଟର ଯିବାକୁ କହିଥିଲେ। ହେଲେ ମହିଳା ଜଣଙ୍କ ନିଜର ଶାରୀରିକ ଅସୁସ୍ଥତା ଦର୍ଶାଇ ସର୍ଭିସ ସେଣ୍ଟର ଯାଇପାରିବେ ନାହିଁ ବୋଲି କହିଥିଲେ। ପରେ ଦୋକାନୀ ଉକ୍ତ ପ୍ରେସର କୁକରକୁ ନିଜ ପାଖରେ ରଖି ଏହାକୁ ମରାମତି କରିବା ପାଇଁ କମ୍ପାନୀ ପଠାଇବେ ବୋଲି କହିଥିଲେ। ହେଲେ ମହିଳା ଜଣକ ନୂଆ କୁକରଟିରେ ତ୍ରୁଟି ଥିବା କାରଣରୁ ମରାମତି ବଦଳରେ ନୂଆ କୁକର ଦେବାକୁ ଦାବି କରିଥିଲେ। ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ନ ଶୁଣି କୁକରଟିକୁ ଦୋକାନରେ ଛାଡ଼ି ଦେଇ ଚୁପ୍ ବସିଥିଲେ। ପରେ ମହିଳା ଡିସିଡିଆର୍ସିଙ୍କ ଦ୍ୱାରସ୍ଥ ହୋଇଥିଲେ।
Powered by Froala Editor