ନକଲି ନୁହେଁ ଅସଲି ସୁନା, ହୀରାରେ ରଙ୍ଗୋଲି
ଦୀପାବଳି ଆସିଲେ ଘର ଅଗଣାରେ ରଙ୍ଗବେରଙ୍ଗ ଫୁଲ, ରଙ୍ଗ ଓ ଦୀପରେ ସଜେଇ ହୋଇଯାଏ ରଙ୍ଗୋଲି। କିନ୍ତୁ ଏଥର ଦୁବାଇରେ ଫୁଲ କିମ୍ବା ରଙ୍ଗ ନୁହେଁ, ବରଂ ସୁନା ଓ ହୀରାରେ ଦୀପାବଳିର ରଙ୍ଗୋଲି ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ।
ଦୁବାଇର ସିଟି ସେଣ୍ଟର ଡେଇରାରେ ଏହି ଆକର୍ଷଣୀୟ ଗୋଲ୍ଡେନ୍ ରଙ୍ଗୋଲିକୁ ସ୍ଥାପନ କରାଯାଇଛି। ଏହାର ଆକାର ୨ ମିଟର ଲମ୍ବା ଓ ୨ ମିଟର ଚଉଡ଼ା। ଏହି ରଙ୍ଗୋଲି ତିଆରି କରିବାରେ ମୋଟ ୨୧୩ଟି ଗହଣା ବ୍ୟବହାର କରାଯାଇଛି। ଯାହାର ମୋଟ ଓଜନ ୬.୫ କିଲୋଗ୍ରାମ ସୁନା। ଏହା ସହିତ ଏଥିରେ ୩୮୦ କ୍ୟାରେଟ୍ରୁ ଅଧିକ ହୀରା ମଧ୍ୟ ଖଞ୍ଜାଯାଇଛି। ସୁନା ଓ ହୀରାର ଏହି ଅଦ୍ଭୁତ ମିଶ୍ରଣ ରଙ୍ଗୋଲିକୁ ଏକ ରାଜକୀୟ ରୂପ ଦେଇଛି।
ଏହି ନିଆରା ରଙ୍ଗୋଲିକୁ ପ୍ରସ୍ତୁତ କରିବା ପଛରେ ରହିଛି ୧୦ ଜଣ ଦକ୍ଷ କାରିଗରଙ୍କ କଠିନ ପରିଶ୍ରମ। ପ୍ରସିଦ୍ଧ ଗହଣା ବ୍ରାଣ୍ଡ ଡାମାସ୍ ଜୁଏଲରୀ ଏବଂ ଦୁବାଇ ଫେଷ୍ଟିଭାଲ୍ସ ଆଣ୍ଡ ରିଟେଲ୍ ଏଷ୍ଟାବ୍ଲିସମେଣ୍ଟର ମିଳିତ ସହଯୋଗରେ ଏହା ତିଆରି ହୋଇଛି। ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ କାରିଗରମାନଙ୍କୁ ଲଗାତାର ୧୬ ଘଣ୍ଟା ସମୟ ଲାଗିଥିଲା। ଏହି ଅନନ୍ୟ କଳାକୃତି ଏବେ ଦୁବାଇର ଦୀପାବଳି ଉତ୍ସବର ସବୁଠାରୁ ବଡ଼ ଆକର୍ଷଣ ପାଲଟିଛି।
ଏଥିରେ ସୁନାର ହାର, ଚୁଡ଼ି, କାନଫୁଲ ଏବଂ ପେଣ୍ଡେଣ୍ଟ ଭଳି ବିଭିନ୍ନ ଗହଣାକୁ ଅତି ସୁନ୍ଦର ଭାବେ ସଜାଯାଇଛି। ପାରମ୍ପରିକ ରଙ୍ଗୋଲିର ଜ୍ୟାମିତିକ ଡିଜାଇନ୍କୁ ଆଧାର କରି ଏହାର ନକ୍ସା ପ୍ରସ୍ତୁତ କରାଯାଇଛି।
ଦୁବାଇରେ ଚାଲିଥିବା ଫେଷ୍ଟିଭାଲ୍ ଅଫ୍ ଲାଇଟ୍ସ ଉତ୍ସବର ଏକ ଅଂଶ ଭାବେ ଏହି ରଙ୍ଗୋଲିକୁ ପ୍ରଦର୍ଶିତ କରାଯାଉଛି। ଏହା ସହରର ଅନ୍ୟାନ୍ୟ ଦୀପାବଳି ଆକର୍ଷଣ ଓ ସପିଂ ଅଭିଯାନର ମଧ୍ୟ ଅଂଶ ରହିଛି।
Powered by Froala Editor