ନାଗା ସମ୍ପ୍ରଦାୟଠୁ ନେଇଥିବା ୩୯ ଜଣଙ୍କ ଅବଶେଷ ଫେରାଇଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ
ଭାରତରେ ବ୍ରିଟିଶ ଶାସନ ସମୟରେ ନାଗା ସମ୍ପ୍ରଦାୟଠୁ ନେଇଥିବା ୩୯ ଜଣଙ୍କ ଅବଶେଷକୁ ଫେରାଇଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ । ପିଟ୍ ରିଭର୍ସ ମ୍ୟୁଜିୟମ୍ରେ ନାଗା ସଂସ୍କୃତି ସହ ଜଡ଼ିତ ୬ ହଜାରରୁ ଅଧିକ ବସ୍ତୁ ରହିଛି, ଯାହା ବିଶ୍ୱର ଏ ଧରଣର ସର୍ବବୃହତ ସଂଗ୍ରହ । ଭାରତ ଓ ମ୍ୟାମାଁରରେ ବ୍ରିଟିଶ ଔପନିବେଶିକ ଶାସନ ସମୟରେ ଅଧିକାଂଶ ଅବଶେଷ ହାସଲ କରାଯାଇଥିଲା ।
ସୋମବାର ଅକ୍ସଫୋର୍ଡର ପିଟ୍ ରିଭର୍ସ ମ୍ୟୁଜିୟମ୍ରେ ନାଗାଲାଣ୍ଡର ପ୍ରାୟ ୩୦ ଜଣିଆ ଏକ ପ୍ରତିନିଧି ଦଳ ଏକ ଉତ୍ସବରେ ଯୋଗ ଦେଇଥିଲେ। ନାଗା ସମ୍ପ୍ରଦାୟକୁ ହସ୍ତାନ୍ତର କରାଯାଇଥିବା ଅବଶେଷ ମଧ୍ୟରେ ଅଧିକାଂଶ ଖପୁରି ରହିଛି । ଏଗୁଡ଼ିକୁ ଭାରତ ଅଣାଯିବ ଏବଂ ନାଗା ସମ୍ପ୍ରଦାୟର ମୁଖିଆଙ୍କୁ ପ୍ରଦାନ କରାଯିବ । ସେମାନେ ଏହି ଅବଶେଷକୁ ‘ସମ୍ମାନପୂର୍ବକ ଆରାମ’ ରୂପେ ବିବେଚନା କରନ୍ତି । ଏଗୁଡ଼ିକୁ ନାଗାଲାଣ୍ଡର ଏକ ପାର୍କରେ ସ୍ମାରକୀ ରୂପେ ସମାଧି ଦେବାର ଯୋଜନା ରହିଛି ।
ମ୍ୟୁଜିୟମ୍ରେ ନିର୍ଦ୍ଦେଶକ ଲୌରା ଭାନ୍ ବ୍ରୋକ୍ହୋଭନ ଏହାକୁ ଐତିହାସିକ ମୁହୂର୍ତ୍ତ କହିଛନ୍ତି, ଯାହା ଉତ୍ତର ପିଢ଼ିଙ୍କୁ ଏକ ସୁନ୍ଦର କାହାଣୀ ରୂପେ ବର୍ଣ୍ଣନା କରାଯିବ । ଏହି ମାନବ ଅବଶେଷଗୁଡ଼ିକୁ ଦୀର୍ଘ ଦଶନ୍ଧି ଧରି ଅକ୍ସଫୋର୍ଡ ସଂଗ୍ରହାଳୟରେ ପ୍ରଦର୍ଶନ କରାଯାଇଥିଲା । ୨୦୨୦ରେ ଏଗୁଡ଼ିକୁ ସର୍ବସାଧାରଣଙ୍କଠୁ ଦୂରରେ ରଖାଗଲା, ଯାହାକୁ ଔପନିବେଶିକ ପ୍ରକ୍ରିୟାର ଅଂଶ ରୂପେ ବର୍ଣ୍ଣନା କରାଗଲା ।
Powered by Froala Editor