'ବିଲଙ୍ଗିଙ୍ଗ୍'କୁ ନେଇ ବିବାଦ ତେଜିଲା
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ୍: ଏ ଜର୍ଣ୍ଣି ଅଫ୍ ଲଭ୍’ ପ୍ରକାଶ ପାଇଛି । ସୋନିଆ ତାଙ୍କ ବ୍ୟକ୍ତିଗତ ଏବଂ ରାଜନୈତିକ ଜୀବନ ସହ ଦେଶର କେତେକ ଐତିହାସିକ ଘଟଣା, ରାଜନୀତି ବାବଦରେ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ସୋନିଆ ଗାନ୍ଧୀ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ, ସେହି ସମୟରେ ରାଜୀବ ଗାନ୍ଧୀ ଜଣେ କମର୍ସିଆଲ୍ ପାଇଲଟ୍ ଥିଲେ ଏବଂ ତାଙ୍କର ରାଜନୀତି ପ୍ରତି କୌଣସି ଆଗ୍ରହ ନଥିଲା। ଅନ୍ୟପକ୍ଷରେ ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ସାନ ପୁଅ ସଞ୍ଜୟ ଗାନ୍ଧୀଙ୍କୁ ଦେଖାଯାଉଥିଲା। ସେଦିନ ହଠାତ୍ ଧଳା ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ହାତର ଛାପ ଥିବା କାଗଜ ଧରି ଘରେ ପଶି ଆସିଥିଲେ। ସୋନିଆ ତାଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ ନଥିବା କହି ସେଠାରୁ ଚାଲିଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେ ବ୍ୟକ୍ତି ଜଣକ ଜିଦ୍ ଧରିବାରୁ ସୋନିଆ ରାଗିଯାଇ ତାଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ସେତେବେଳେ ସେ ବ୍ୟକ୍ତି ଜଣକ ଚିତ୍କାର କରି କହିଥିଲେ, "ନା, ନା, ସଞ୍ଜୟ ନୁହେଁ... ଆପଣଙ୍କ ସ୍ୱାମୀ ରାଜୀବ ଦିନେ ପ୍ରଧାନମନ୍ତ୍ରୀ ହେବେ।"
ପୁସ୍ତକଟି ମଙ୍ଗଳବାର ବଜାରକୁ ଆସିବା ପରଠାରୁ ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ତୀବ୍ର ରାଜନୈତିକ ଲଢ଼େଇ ଆରମ୍ଭ ହୋଇଛି। ବିଜେପି ନେତା ହରଭିନ୍ଦର ସିଂ ଫୁଲ୍କା କହିଛନ୍ତି, ସୋନିଆଙ୍କ ପୁସ୍ତକର ବିବରଣୀ ସରକାରୀ ତଥ୍ୟର ସମ୍ପୂର୍ଣ୍ଣ ବିରୋଧାଭାସ କରେ । ଏହି ପୁସ୍ତକ ମାଧ୍ୟମରେ ସୋନିଆ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ କଂଗ୍ରେସ ନେତୃତ୍ୱଙ୍କୁ ଶିଖ୍ ବିରୋଧୀ ଗଣହତ୍ୟା ଦୋଷରୁ ମୁକ୍ତ କରିବାକୁ ଉଦ୍ୟମ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଅଭିଯୋଗ କରିଛନ୍ତି, ସୋନିଆ ବାବ୍ରି ମସ୍ଜିଦ୍ ଏବଂ ବାଟ୍ଲା ହାଉସ୍ ଭଳି ଘଟଣାରେ ଦୁଃଖ ପ୍ରକାଶ କରିବା କ୍ଷେତ୍ରରେ ବାଛି ବାଛି ପ୍ରତିକ୍ରିୟା ଦେଇଛନ୍ତି । କିନ୍ତୁ ଗୋଧ୍ରା ଏବଂ ପହଲଗାମ ଭଳି ଘଟଣାରେ ତାହା କରିନାହାନ୍ତି । ତିବ୍ବତ ଏବଂ ଧାରା ୩୭୦, ୩୫-ଏ ଆଦି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭୁଲ୍ ବୋଲି ସୋନିଆ ତାଙ୍କ ପୁସ୍ତକରେ ସ୍ଥାନିତ କରିବାର ଥିଲା ବୋଲି ଗିରିରାଜ କହିଛନ୍ତି ।
Powered by Froala Editor