ରଣକୋଠା ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଠାବ
ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ଉଦୟପୁର ବନବିଭାଗ ଟିମ୍ । ଠାବ ହୋଇଥିବା ଓରାଙ୍ଗଉଟାନଙ୍କ ବୟସ ପ୍ରାୟ ୧ରୁ ୨ ବର୍ଷ ମଧ୍ୟରେ ବୋଲି ସୂଚନା ମିଳିଛି । ଭାରତରେ ସ୍ୱାଭାବିକ ଭାବେ ଓରାଙ୍ଗଉଟାନ ଦେଖାଯାଆନ୍ତି ନାହିଁ । ମାଲେସିଆ, ସୁମାତ୍ରା ଓ ଇଣ୍ଡୋନେସିଆ ଭଳି ଅଞ୍ଚଳରେ ଏହି ପ୍ରଜାତି ଦେଖିବାକୁ ମିଳେ। ତେଣୁ ଏହି ୫ଟି ଓରାଙ୍ଗଉଟାନ ବାଲେଶ୍ୱର ଜଙ୍ଗଲକୁ କେଉଁଠୁ ଏବଂ କିପରି ଆସିଲେ, ତାହାକୁ ନେଇ ସନ୍ଦେହ ଉପୁଜିଛି ।
ଘଟଣାକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ, ବିଶେଷ ସୂତ୍ରରୁ ବନବିଭାଗ ଏହି ଓରାଙ୍ଗଉଟାନମାନଙ୍କ ସମ୍ପର୍କରେ ଖବର ପାଇଥିଲା। ଏହାପରେ ବନବିଭାଗ ଟିମ୍ ଜଙ୍ଗଲରେ ପହଞ୍ଚି ୫ଟି ଓରାଙ୍ଗଉଟାନକୁ ଠାବ କରିଥିଲେ । ଓରାଙ୍ଗଉଟାନମାନଙ୍କୁ ବର୍ତ୍ତମାନ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ଭେଟେରିନାରୀ ଡାକ୍ତରଙ୍କ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯିବ। ପରବର୍ତ୍ତୀ ସମୟରେ ସେମାନଙ୍କୁ ନନ୍ଦନକାନନକୁ ନେବା ପାଇଁ ବ୍ୟବସ୍ଥା କରାଯିବ ।
ଓରାଙ୍ଗଉଟାନ ଶାନ୍ତ ସ୍ୱଭାବର ପ୍ରାଣୀ ଏବଂ ସାଧାରଣତଃ ମଣିଷଙ୍କ ପ୍ରତି ଆକ୍ରମଣାତ୍ମକ ହୁଅନ୍ତି ନାହିଁ । ଠାବ ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଗବେଷଣା କରାଯିବା ସହ ସେମାନଙ୍କ ଉତ୍ପତ୍ତି ଓ ଓଡ଼ିଶାରେ ପହଞ୍ଚିବାର କାରଣ ଜାଣିବାକୁ ତଦନ୍ତ କରାଯିବ।
ମନ୍ତ୍ରୀ କହିଛନ୍ତି ଯେ, ଏହା ପଛରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ଚାଲାଣକାରୀଙ୍କ ଲିଙ୍କ ଥାଇପାରେ। ଗୋଟିଏ ଓରାଙ୍ଗଉଟାନର ବଜାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ଥିବା ନେଇ ସୂଚନା ରହିଛି । ଏହି କାରଣରୁ ସେମାନଙ୍କୁ ଚାଲାଣ କରାଯାଉଥିବା ବେଳେ କୌଣସି କାରଣରୁ ବାଲେଶ୍ୱର ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି।
Powered by Froala Editor