SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଡିସେମ୍ବର ୧ ରୁ ଆପଣଙ୍କ ପକେଟ ଉପରେ ପଡ଼ିପାରେ ଅତିରିକ୍ତ ବୋଝ
ନୂଆଦିଲ୍ଲୀ: ଯଦି ଆପଣ SBI କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ଏବଂ ଯାତ୍ରା, ପରିବହନ କିମ୍ବା ପେଟ୍ରୋଲ-ଡିଜେଲ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି, ତେବେ ଡିସେମ୍ବର ୧, ୨୦୨୬ରୁ ଆପଣଙ୍କ ପକେଟ ଉପରେ ଅତିରିକ୍ତ ବୋଝ ପଡ଼ିପାରେ। SBI କାର୍ଡ ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ନୋଟିସ ଅନୁଯାୟୀ, ଅଧିକ ମୂଲ୍ୟର ପରିବହନ ଏବଂ ଇନ୍ଧନ ସମ୍ପର୍କିତ କାରବାର ଉପରେ ନୂଆ ଶୁଳ୍କ ଲାଗୁ ହେବ। ଏହି ନିୟମ ଡିସେମ୍ବର ମାସର ପ୍ରଥମ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି।
ଡିସେମ୍ବର ୧, ୨୦୨୬ରୁ ଲାଗୁ ହେବାକୁ ଥିବା ନୂଆ ନିୟମ ଅନୁଯାୟୀ, SBI କ୍ରେଡିଟ କାର୍ଡ ଜରିଆରେ ୩୦ ହଜାର ଟଙ୍କାରୁ ଅଧିକ ପ୍ରତ୍ୟେକ ଯୋଗ୍ୟ ପରିବହନ କାରବାର ଉପରେ ୧ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗିବ।
ଏଥିରେ ନିର୍ଦ୍ଦିଷ୍ଟ ମର୍ଚ୍ଚାଣ୍ଟ କ୍ୟାଟେଗୋରି କୋଡ (MCC 4111, 4784 ଏବଂ 4131) ଅଧୀନରେ ଆସୁଥିବା କିଛି ର୍ନିଦ୍ଦିଷ୍ଟ ପରିବହନ ସେବାର କାରବାର ସାମିଲ ରହିଛି।
ଉଦାହରଣ ସ୍ବରୂପ, ଯଦି ଆପଣ ଗୋଟିଏ ଯୋଗ୍ୟ ପରିବହନ କାରବାରରେ ୩୫,୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି, ତେବେ ୧ ପ୍ରତିଶତ ହିସାବରେ ୩୫୦ ଟଙ୍କା ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ। ସେହିପରି ୫୦,୦୦୦ ଟଙ୍କାର କାରବାର ଉପରେ ୫୦୦ ଟଙ୍କା ଶୁଳ୍କ ଲାଗିବ।
ବିଶେଷ କଥା ହେଉଛି, ଏହି ନିୟମ ସମଗ୍ର ବିଲିଂ ସାଇକେଲର ମୋଟ ଖର୍ଚ୍ଚ ଉପରେ ନୁହେଁ, ବରଂ ପ୍ରତ୍ୟେକ ବଡ଼ ଯୋଗ୍ୟ କାରବାର ଉପରେ ଲାଗୁ ହେବ।
ଦ୍ୱିତୀୟ ବଡ଼ ପରିବର୍ତ୍ତନ ଇନ୍ଧନ ଖର୍ଚ୍ଚକୁ ନେଇ ହୋଇଛି। ଗୋଟିଏ ବିଲିଂ ସାଇକେଲରେ ଆପଣଙ୍କ ଯୋଗ୍ୟ ଇନ୍ଧନ କାରବାରର ମୋଟ ଖର୍ଚ୍ଚ ୫୦,୦୦୦ ଟଙ୍କାରୁ ଅଧିକ ହେଲେ ୧ ପ୍ରତିଶତ ଶୁଳ୍କ ଲାଗୁ ହେବ।
ସାଧାରଣ କ୍ରେଡିଟ କାର୍ଡ ଗ୍ରାହକଙ୍କ ପାଇଁ କ’ଣ ପରାମର୍ଶ?
ଯଦି ଆପଣଙ୍କ ପରିବହନ କିମ୍ବା ଇନ୍ଧନ ବାବଦ ଖର୍ଚ୍ଚ ନିୟମିତ ଭାବେ ନିର୍ଦ୍ଧାରିତ ସୀମା ଅତିକ୍ରମ କରୁଛି, ତେବେ ଡିସେମ୍ବର ୧, ୨୦୨୬ରୁ ନିଜ କ୍ରେଡିଟ କାର୍ଡ ଷ୍ଟେଟମେଣ୍ଟ ଏବଂ ଖର୍ଚ୍ଚ ଉପରେ ନଜର ରଖିବା ଜରୁରୀ।
– ଅଧିକ ମୂଲ୍ୟର ପରିବହନ ପେମେଣ୍ଟ କରିବା ପୂର୍ବରୁ ନିର୍ଦ୍ଧାରିତ ସୀମା ଏବଂ ସମ୍ଭାବ୍ୟ ୧% ଶୁଳ୍କ ବିଷୟରେ ହିସାବ କରନ୍ତୁ।
– ପେଟ୍ରୋଲ ଓ ଡିଜେଲ କିଣିବା ସମୟରେ ବିଲିଂ ସାଇକେଲର ମୋଟ ଖର୍ଚ୍ଚ ୫୦,୦୦୦ ଟଙ୍କା ପାଖାପାଖି ପହଞ୍ଚିଲେ ସତର୍କ ରୁହନ୍ତୁ।
ଏହି ପରିବର୍ତ୍ତନ ଯୋଗୁଁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା SBI କ୍ରେଡିଟ କାର୍ଡ ଗ୍ରାହକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିପାରେ।
Powered by Froala Editor