ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ
ଜମ୍ମୁ-କାଶ୍ମୀର: ଶନିବାର ମଧ୍ୟରାତ୍ରିରେ ଜମ୍ମୁ-କାଶ୍ମୀରର ବାରାମୁଲା ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା । ଉରି ତହସିଲର ଗୋୱାହଲ୍ଲାନ ଗ୍ରାମ ଅଞ୍ଚଳରେ ଏକ ବିବାହ ଉତ୍ସବରୁ ଫେରୁଥିବା ଏକ ଟାଟା ସୁମୋ କାର ଖାତକୁ ଖସି ପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ବର୍ଷୀୟା ଜଣେ ନାବାଳିକା ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ପରିବାରର ସଦସ୍ୟମାନେ ୱାଲିମା ସମାରୋହରେ ଯୋଗଦେଇ ଘରକୁ ଫେରୁଥିଲେ । ଏହି ସମୟରେ ସେମାନଙ୍କ ଟାଟା ସୁମୋ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିଲା । ଫଳରେ ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ବର୍ଷୀୟା ଜଣେ ନାବାଳିକା ଗୁରୁତର ଆହତ ହୋଇଲେ । ଦୁର୍ଘଟଣା ସମୟରେ ଗାଡ଼ିରେ ମୋଟ ୫ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପ୍ରଥମେ ସମସ୍ତଙ୍କୁ ଉରି ଉପଖଣ୍ଡ ଚିକିତ୍ସାଳୟ (SDH)କୁ ନିଆଯାଇଥିଲା । ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଗୁରୁତର ଆହତ ଥିବା ୧୧ ବର୍ଷୀୟା ନାବାଳିକାଙ୍କ ଉନ୍ନତ ଚିକିତ୍ସା ପାଇଁ ସରକାରୀ ମେଡିକାଲ କଲେଜ (GMC)କୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଏହାରି ମଧ୍ୟରେ ମୃତକଙ୍କ ପରିଚୟ ଚିହ୍ନଟ କରାଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ୨୬ ବର୍ଷୀୟ ସୟଦ ଶଫିକ୍ ଶାହ, ତାଙ୍କ ୨୫ ବର୍ଷୀୟା ପତ୍ନୀ ରସିଦା ବାନୋ, ୧୭ ବର୍ଷୀୟା ଦିଲନାଜ ଫାତିମା ଏବଂ ୨୭ ବର୍ଷୀୟା ଶାହିଦ ଫାତିମା । ଦୁର୍ଘଟଣାରେ ଆହତ ନାବାଳିକା ସୟଦ ମଦଦ ହୁସେନ ଶାହଙ୍କ ଝିଅ ମନାଜ ଫାତିମା ବୋଲି ଜଣାପଡିଛି ।
Powered by Froala Editor