ମହୁଲଡ଼ିହାସ୍ଥିତ ବାସଭବନରେ ରାଷ୍ଟ୍ରପତିଙ୍କ ରାତ୍ରିଯାପନ, ଆଜି ଆସିବେ ମୋଦି
ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ଶୁକ୍ରବାର ଅପରାହ୍ନ ୫ଟାରେ ରାଇରଙ୍ଗପୁରରେ ପହଁଞ୍ଚିଛନ୍ତି। ପ୍ରତିକୂଳ ପାଗ ଯୋଗୁ ହେଲିକପ୍ଟରରେ ନ ଆସି ପଶ୍ଚିମବଙ୍ଗର କୋଲେଇକୁଣ୍ଡା ଏୟାରଷ୍ଟ୍ରିପ୍ରୁ ସେ ସଡ଼କ ପଥରେ ଆସିଛନ୍ତି। ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ରାଇରଙ୍ଗପୁରେ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇଛନ୍ତି।
ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନା ପରିସରରେ ଏମ୍ସ୍ ସାଟେଲାଇଟ୍ ସେଣ୍ଟରକୁ ରାଷ୍ଟ୍ରପତି ଉଦ୍ଘାଟନକରି ରୋଗୀଙ୍କ ସହ ଭାବ ବିନିମୟ କରିଛନ୍ତି। ରାଷ୍ଟ୍ରପତି ମେଗା ହେଲ୍ଥ କ୍ୟାମ୍ପରେ ରୋଗୀମାନଙ୍କୁ ଠିକ୍ ଚିକିତ୍ସା ପ୍ରଦାନରେ ବିଭାଗୀୟ ଅଧିକାରୀ, ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହା ପରେ କୁସୁମୀ ବ୍ଳକ୍ ଅଧୀନ ଖଣି ପ୍ରଭାବିତ ଗ୍ରାମଗୁଡିକ ପାଇଁ ମେଗା ସମନ୍ବିତ ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପ, ବ୍ରହ୍ମାକୁମାରୀଙ୍କ ମାତୃଶକ୍ତି ଭବନ, ସ୍ବତନ୍ତ୍ର ସର୍କିଟ ହାଉସ ଏବଂ ରାଇରଙ୍ଗପୁରରେ ନୂତନ ପୋଲିସ ଜିଲାକୁ ରାଷ୍ଟ୍ରପତି ଉଦ୍ଘାଟନ କରିଛନ୍ତି। ପରେ ରାଇରଙ୍ଗପୁର ମହୁଲଡ଼ିହାସ୍ଥିତ ବାସଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିଥିବା ସୂଚନା ମିଳିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାଇରଙ୍ଗପୁର ଗସ୍ତରେ ଆସିବେ। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଉପସ୍ଥିତ ରହିବେ। ପୂର୍ବାହ୍ନ ୧୧ଟା୧୫ ସମୟରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପାହାଡ଼ପୁର ଗ୍ରାମ ପରିଦର୍ଶନ କରିବେ। ଏହା ପରେ ଉଭୟ ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା, ଦକ୍ଷତା କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଅପରାହ୍ନ ୧ଟାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରରେ ଓଡ଼ିଶା ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ‘ବିକାଶର ଧାରା, ଓଡ଼ିଶା ସାରା’। କାର୍ଯ୍ୟକ୍ରମ ସମୟରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧନ ମଧ୍ୟ କରିବେ। ଏହି କାର୍ଯ୍ୟକ୍ରମ ସମୟରେ, ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ସଂଯୋଗୀକରଣ, ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ଜଳସେଚନ ସମେତ ପ୍ରମୁଖ କ୍ଷେତ୍ରର ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଥମ ଥର ପାଇଁ ଓଡ଼ିଶା ଇତିହାସରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗୋଟିଏ ମଞ୍ଚରେ ଉପସ୍ଥିତ ରହିବା ସହ ଜନସାଧାରଣଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି।
Powered by Froala Editor