ସୁରକ୍ଷା ପାଇଁ ନିର୍ଦ୍ଧାରିତ ଫୁଟ୍ପାଥରେ ଚାଲିବା ମୌଳିକ ଅଧିକାର: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁରକ୍ଷା ପାଇଁ ନିର୍ଦ୍ଧାରିତ ଫୁଟ୍ପାଥରେ ଚାଲିବା ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଚାଲିବାକୁ ମୌଳିକ ଅଧିକାର ଭାବେ ଗ୍ରହଣ କରିଛନ୍ତି। ନିର୍ଦ୍ଧାରିତ ଫୁଟ୍ପାଥରେ ଗାଡ଼ିମୋଟର ଅପେକ୍ଷା ପଥଚାରୀଙ୍କ ଅଧିକାର ପ୍ରଥମ ବୋଲି ଜଷ୍ଟିସ୍ ପି.ଏସ୍. ନରସିଂହା ଏବଂ ଏ.ଏସ୍. ଚନ୍ଦୁରକରଙ୍କ ଖଣ୍ଡପୀଠ କହିଛନ୍ତି। ଉକ୍ତ ଅଧିକାର ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଡି)ରେ ଦିଆଯାଇଥିବା ମୁକ୍ତ ଭାବେ ଚଳପ୍ରଚଳ କରିବା ଅଧିକାର ଏବଂ ଅନୁଚ୍ଛେଦ ୨୧ରେ ଦିଆଯାଇଥିବା ଜୀବନ ଧାରଣ ଓ ସ୍ବାଧୀନତା ଅଧିକାରର ଅଂଶବିଶେଷ ବୋଲି ରାୟରେ କୁହାଯାଇଛି। ଏକ ଦୁର୍ଭାଗ୍ୟଜନକ ଗାଡ଼ି ଦୁର୍ଘଟଣା କ୍ଷତିପୂରଣକୁ ନେଇ ଶୀର୍ଷ ଅଦାଲତ ଉପରୋକ୍ତ ଘୋଷଣା କରିଛନ୍ତି। ଜଣେ ବାପା ତାଙ୍କର ୫ ବର୍ଷର ପୁଅକୁ ସ୍କୁ୍ଲ ନେଉଥିବାବେଳେ ଦୁର୍ଘଟଣାରେ ତାଙ୍କୁ ହରାଇଥିଲେ। ଏହାର ଶୁଣାଣି କରି ସମ୍ବିଧାନର ଭାଗ-୩ରେ ଚାଲିବା ଅଧିକାର ଏକ ମୌଳିକ ଅଧିକାର ବୋଲି ଖଣ୍ଡପୀଠ କହିଛନ୍ତି। ଏହାର କାର୍ଯ୍ୟକାରିତା ନିମନ୍ତେ ଏକ ନିୟାମକ ଗଠନ ସପକ୍ଷରେ ସୁପ୍ରିମକୋର୍ଟ ମତ ଦେଇଛନ୍ତି। ଚାଲିବା ଅଧିକାରର ଉଲ୍ଲଂଘନ କ୍ଷେତ୍ରରେ କ୍ଷତିପୂରଣ ଏବଂ ପୂର୍ବ ସ୍ଥିତି ଫେରାଇ ଆଣିବା ଉପଚାର ପାଇଁ ନାଗରିକ ହକ୍ଦାର ବୋଲି ଖଣ୍ଡପୀଠ କହିଛନ୍ତି।
Powered by Froala Editor