ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....
ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ‘ମୂଳାଷ୍ଟମୀ’ ନାମରେ ପ୍ରସିଦ୍ଧ। ଏହା ହେଉଛି ଦେବୀ-ଦୁର୍ଗାଙ୍କ ଶରତ୍କାଳୀନ ଉତ୍ସବ। ଏହା ଦେବୀଙ୍କର ଷୋହଳଦିନ ବ୍ୟାପୀ ପୂଜାର ମୂଳ ତିଥି। ସେ ଦୃଷ୍ଟିରୁ, ଏହାର ନାମ ‘ମୂଳାଷ୍ଟମୀ’ ହୋଇଛି। ଏହି ପୂଜା ଆଶ୍ୱିନ ଶୁକ୍ଳପକ୍ଷ ଅଷ୍ଟମୀ ବା ମହାଷ୍ଟମୀ ଓ ନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ। ଏହି ଷୋହଳ ଦିନ ଦୁର୍ଗାପୂଜା ପାଇଁ ପ୍ରଶସ୍ତ। ଏହା ଦୁର୍ଗାପୂଜାର ପକ୍ଷ। ଏହାର ପରଦିନ ପାଳିତ ହୁଏ ବିଜୟା ଦଶମୀ। ଏହା ହେଉଛି ଆସୁରିକ ଶକ୍ତି ଉପରେ ଦୈବୀଶକ୍ତିର ବିଜୟ ଉତ୍ସବ। ମୂଳାଷ୍ଟମୀ ଦେବୀ ଦୁର୍ଗାଙ୍କର ଉତ୍ଥାପନ ଦିବସ।
ଦେବୀ ଦୁର୍ଗାଙ୍କର ଶୟନ ତିଥି ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ। ଏହିଦିନ ଠାରୁ ଆଶ୍ୱିନ କୃଷ୍ଣପକ୍ଷ ସପ୍ତମୀ ପର୍ଯ୍ୟନ୍ତ ପନ୍ଦରଦିନ ଦେବୀ ଶୟନ କରିବା ପରେ, ପୂଜା ଗ୍ରହଣ ପୂର୍ବକ ଷୋଡ଼ଶଦିନ ଦିବା ଭାଗରେ ଉଠନ୍ତି। ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ସପ୍ତମୀ ତିଥିରେ ଉଦୟ ହୋଇ, ତାହାପରେ ଅଷ୍ଟମୀ ତିଥି ପଡ଼ିଲେ ମଧ୍ୟ, ସେହିଦିନ ଦେବୀଙ୍କର ଉତ୍ଥାପନ ଉତ୍ସବ ହୁଏ। ପୁଣି ସୂର୍ଯ୍ୟ ଅଷ୍ଟମୀ ତିଥିରେ ଅସ୍ତ ହେଲେ ମଧ୍ୟ, ସେହିଦିନ ଦେବୀଙ୍କର ଉତ୍ଥାପନ ଉତ୍ସବ ହୁଏ। ନବମୀବିଦ୍ଧା ଅଷ୍ଟମୀରେ ଏହି ଦୁର୍ଗାପୂଜା ହୁଏ ନାହିଁ। ଶ୍ରୀମନ୍ଦିରରେ ଷୋଡ଼ଶ ଦିନ ବ୍ୟାପୀ ଦୁର୍ଗାପୂଜା ମଧ୍ୟ ଏହି ମୂଳାଷ୍ଟମୀରୁ ଆରମ୍ଭ ହୋଇଥାଏ। ଏହା କୃଷ୍ଣ ଅଷ୍ଟମୀଦିନ ଦେବୀ ଦୁର୍ଗାଙ୍କର ସହସ୍ର କୁମ୍ଭାଭିଷେକ ହୋଇ ଆରମ୍ଭ ହୁଏ। ଭଣ୍ଡାରଘରୁ ମା’ ଦୁର୍ଗାଦେବୀଙ୍କୁ ନେଇ ରତ୍ନସିଂହାସନରେ ଦେବୀ ସୁଭଦ୍ରାଙ୍କ ବାଡ଼ରେ ବିଜେ କରାଯାଏ।
ଦେବୀ ସୁଭଦ୍ରାଙ୍କ ଠାରୁ ଦୁର୍ଗାଦେବୀ ଆଜ୍ଞାମାଳ ପାଆନ୍ତି। ତାହା ପରେ ଦେବୀଙ୍କୁ ନେଇ ଗୁରୁବାର ମାଜଣା ମଣ୍ଡପ ବା ସୋମନାଥ ମଣ୍ଡପ ଖଟରେ ବିଜେ କରାଯାଏ। ସେଠାରେ ତାଙ୍କର ସହସ୍ରକୁମ୍ଭାଭିଷେକ କରାଯାଏ। ବେଶ, ଭୋଗ, ମଣୋହି ଓ ବନ୍ଦାପନା ଆଦି ପରେ, ତାଙ୍କୁ ବାହୁଡ଼ା ବିଜେ କରି ଭଣ୍ଡାରଘରଠାକୁ ଅଣାଯାଏ। ତାହା ପରେ, ରତ୍ନସିଂହାସନରୁ ମାଧବଙ୍କୁ ଆଣି ଦୁର୍ଗା ବସିଥିବା ପ୍ରଭା ଆସନରେ ବିଜେ କରାଯାଏ। ଦୁର୍ଗା ଓ ମାଧବ ଗୋଟିଏ ଆସନରେ ଅବସ୍ଥାନ କରନ୍ତି। ଏହିପରି ଭାବରେ, ଦୁର୍ଗା-ମାଧବ ଷୋଡ଼ଶ ଦିନ ଧରି ସ୍ୱତନ୍ତ୍ର ବିଧିରେ ପୂଜା ହୁଅନ୍ତି।
Powered by Froala Editor