ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ଗୁଳିମାଡ଼ : ୩ ସୁଟର ଗିରଫ
ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ମୁମ୍ବାଇରେ ଚର୍ଚ୍ଚା ଜୋର ଧରିଛି। ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ୩ ଜଣ ଦୁର୍ବୃତ୍ତ ଅତର୍କିତ ଗୁଳିଚାଳନା କରିଥିଲେ। ଆକ୍ରମଣରେ ଟାଇଗର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ତାଙ୍କ କାର୍ ଚାଳକ ଏବଂ ଜଣେ ଅଟୋ ଚାଳକ ଗୁରୁତର ହୋଇଛନ୍ତି। ଏକ ଫୁଟବଲ ପଡ଼ିଆରୁ ଖେଳ ସାରି ଟାଇଗର ଶ୍ରଫ୍ ଫେରୁଥିବା ସମୟରେ ମୋଟରସାଇକେଲରେ ଆସି ୩ ଜଣ ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ତିନିରୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଦ୍ୱୟଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଏକ ଭାଇରାଲ୍ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଅନିଲ ପଣ୍ଡିତ ନାମକ ଜଣେ ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରିଛନ୍ତି।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ ତଦନ୍ତକୁ ଜୋରଦାର କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ରାଜସ୍ଥାନର କୋଟାରୁ ଗିରଫ କରିଛି ପୋଲିସ। ତିନି ଜଣ ଅଭିଯୁକ୍ତ ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଏକ ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଧରାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ସନ୍ଦିଗ୍ଧଙ୍କୁ ତାଙ୍କ ପୋଷାକ ଆଧାରରେ ଚିହ୍ନଟ କରାଯାଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଅକ୍ଟୋବର ୧୮ ତାରିଖ ରାତିରେ ଏହି ଗୁଳିମାଡ଼ ଘଟଣା ଘଟିଥିଲା। ଟାଇଗର ଶ୍ରଫ୍ ଜୁହୁସ୍ଥିତ ପୁଷ୍ପା ପାର୍କରୁ ନିଜ ଘରକୁ ଫେରୁଥିବା ସମୟରେ ମୋଟରସାଇକେଲରେ ଆସିଥିବା ତିନି ଜଣ ଦୁର୍ବୃତ୍ତ ଅତର୍କିତ ଗୁଳିମାଡ଼ କରିଥିଲେ। ତେବେ ଗୁଳିକାଣ୍ଡ ପଛରେ ଥିବା କାରଣ ଏବଂ ଅଭିଯୁକ୍ତଙ୍କ ଭୂମିକା ସମ୍ପର୍କରେ ଅଧିକ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।
Powered by Froala Editor