ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ
ନାଗପୁର: କେବଳ ସରକାର ପରିବର୍ତ୍ତନ ବା ‘ରିଜିମ ଚେଞ୍ଜ’ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ। ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଥିବା ଶକ୍ତି ଓ ସେମାନଙ୍କ ସମର୍ଥକ ବିଭିନ୍ନ ସ୍ଥାନରେ ପ୍ରଭାବଶାଳୀ ରହିଥାନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସଏସ)ର ସଂଚାଳକ ମୋହନ ଭାଗବତ ନାଗପୁରରେ ବିଜୟାଦଶମୀ ଅବସରରେ ନିଜ ଅଭିଭାଷଣରେ ଏପରି ମତ ରଖିଛନ୍ତି। ଏଥିସହ ଭାରତକୁ ସଂଗଠିତ ଓ ଶକ୍ତିଶାଳୀ କରିବା ପାଇଁ ଦେଶର ଇତିହାସ, ଅସ୍ମିତା ଏବଂ ନିଜସ୍ବ ସ୍ବଭାବକୁ ବୁଝିବା ଜରୁରୀ ବୋଲି ସେ କହିଛନ୍ତି।
ଭାଗବତ କହିଛନ୍ତି, ରିଜିମ ଚେଞ୍ଜ କରିବା ଦ୍ୱାରା ପରିସ୍ଥିତି ବଦଳିଯିବ, ଏପରି କେବେ ହୋଇନାହିଁ। ପୂର୍ବରୁ ମଧ୍ୟ ହୋଇ ନ ଥିଲା, ଆଜି ମଧ୍ୟ ହେଉନାହିଁ। ନିଜ ସ୍ବାର୍ଥର ପୋଷଣ କରୁଥିବା ଲୋକ ଓ ସେମାନଙ୍କ ସମର୍ଥକ ସବୁଠି ପ୍ରଭାବଶାଳୀ ରହିଛନ୍ତି। ବିଶ୍ୱର କିଛି ଶକ୍ତି ନିଜ ସ୍ବାର୍ଥ ପୂରଣ ପାଇଁ କାର୍ଯ୍ୟ କରୁଛନ୍ତି। ଭାରତ ଶକ୍ତିଶାଳୀ ହେଲେ ଏଭଳି ଶକ୍ତିଙ୍କ ସ୍ବାର୍ଥ ପ୍ରଭାବିତ ହୋଇପାରେ। ଏହି କାରଣରୁ ଭାରତକୁ ଟାର୍ଗେଟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଭାରତ, ହିନ୍ଦୁ ସମାଜ ଓ ଆର୍ଏସଏସକୁ ଦୁର୍ବଳ କରିବା ଏବଂ ବିଭାଜିତ କରିବା ପାଇଁ ଉଦ୍ୟମ ହେଉଥିବା ମଧ୍ୟ ସେ କହିଛନ୍ତି।
ଦେଶର ସ୍ବାଧୀନତା ସମୟର ପରିସ୍ଥିତିକୁ ମନେ ପକାଇ ଭାଗବତ କହିଛନ୍ତି, ସେତେବେଳେ ଦେଶକୁ ସ୍ବାଧୀନ କରିବା ପାଇଁ ମହାପୁରୁଷ ଓ ସମାଜକୁ ଅନେକ ତ୍ୟାଗ ଓ ତପସ୍ୟା କରିବାକୁ ପଡ଼ିଥିଲା। ବର୍ତ୍ତମାନର ପରିସ୍ଥିତିରେ ଦେଶର ଏକତା, ଶକ୍ତି ଓ ପ୍ରଗତି ପାଇଁ ତା’ଠାରୁ ମଧ୍ୟ ଅଧିକ ତ୍ୟାଗ ଓ ସମର୍ପଣର ଆବଶ୍ୟକତା ରହିଛି। ଭାରତ ବିବିଧତାର ଦେଶ ହୋଇଥିବାରୁ ଏଠାରେ ସମସ୍ତଙ୍କୁ ସ୍ବୀକାର କରିବା, ସମ୍ମାନ ଦେବା ଏବଂ ସେମାନଙ୍କ ସୁରକ୍ଷା ଓ ମର୍ଯ୍ୟାଦା ପ୍ରତି ଧ୍ୟାନ ଦେବା ଜରୁରୀ। ଭାରତର ସନାତନ ପରମ୍ପରାରେ ବିଭିନ୍ନତାକୁ ସ୍ବୀକାର କରିବା ଓ ସମସ୍ତଙ୍କୁ ସୁରକ୍ଷା ଦେବାର ଭାବନା ରହିଛି। ଭାରତର ଶାଶ୍ୱତ ପରମ୍ପରା ଓ ମୂଲ୍ୟବୋଧକୁ ସଂରକ୍ଷଣ କରିବା ସହ ସମୟ ଅନୁସାରେ ପରିବର୍ତ୍ତନକୁ ଗ୍ରହଣ କରିବା ଆବଶ୍ୟକ। ଭାଷା, ଜାତି ଓ ପନ୍ଥ ପ୍ରତି ଆସକ୍ତି ସ୍ବାଭାବିକ, କିନ୍ତୁ ଏସବୁଠାରୁ ଉପରେ ଦେଶ ପ୍ରତି ଭାବନାତ୍ମକ ଏକତା ରହିବା ଦରକାର ବୋଲି ସେ ମତ ଦେଇଛନ୍ତି।
ତାଙ୍କ କହିବା ଅନୁସାରେ, ଭାରତୀୟ ପରମ୍ପରା ସମଗ୍ର ବିଶ୍ୱକୁ ନିଜର ବୋଲି ମାନିବାର ଶିକ୍ଷା ଦେଇଥାଏ। କିନ୍ତୁ ସମୟକ୍ରମେ ସମାଜ ଅନେକ ଅନାବଶ୍ୟକ ବନ୍ଧନରେ ଆବଦ୍ଧ ହୋଇପଡ଼ିଥିଲା। ଏହା ଦେଶର ଦୁର୍ବଳତା ବଢ଼ାଇବା ସହ ଅହଂକାରକୁ ମଧ୍ୟ ପ୍ରୋତ୍ସାହିତ କରିଥିଲା ବୋଲି ସେ କହିଛନ୍ତି।
Powered by Froala Editor