ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ମୋବାଇଲ୍ ଅଡିଓ ରେକର୍ଡିଂକୁ ନେଇ ତଦନ୍ତ
ଗ୍ରେଟର ନୋଏଡାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ। ମୃତକଙ୍କ ମଧ୍ୟରେ ଥିଲେ ୩୭ ବର୍ଷୀୟ ମହେଶ, ତାଙ୍କ ପତ୍ନୀ ଲଳିତା ଏବଂ ସେମାନଙ୍କର ତିନି ସନ୍ତାନ ୧୧ ବର୍ଷୀୟ ଲଡ୍ଡୁ, ୭ ବର୍ଷୀୟ ମିଷ୍ଟି ଓ ୩ ବର୍ଷୀୟ ସାକ୍ଷତ। ଏହି ଘଟଣାରେ ପ୍ରଥମେ ଫୁଡ୍ ପଏଜନିଂ ସନ୍ଦେହ କରାଯାଉଥିବା ବେଳେ, ପ୍ରାଥମିକ ତଦନ୍ତରେ ବିଷ ଦିଆଯାଇଥିବା ସନ୍ଦେହ କରାଯାଉଛି।
ଶୁକ୍ରବାର ରାତିରେ ପରିବାର ନୁଡୁଲ୍ସ ଖାଇ ଶୋଇଥିବା କୁହାଯାଉଛି। ଶନିବାର ସକାଳେ ଘର ଭିତରୁ ପାଞ୍ଚ ଜଣଙ୍କ ମୃତଦେହ ମିଳିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ଖାଦ୍ୟ ଫୁଡ ପଏଜନିଂ ସନ୍ଦେହ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ତଦନ୍ତରେ ଘଟଣାକୁ ନେଇ ଅନ୍ୟ ଦିଗ ମଧ୍ୟ ସାମ୍ନାକୁ ଆସିଛି।
ପ୍ରାଥମିକ ପୋଲିସ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ମହେଶ ମାନସିକ ଚାପ ଏବଂ ମାନସିକ ଅବସାଦରେ ରହୁଥିଲେ। ତେଣୁ ମହେଶ ଏବଂ ତାଙ୍କ ପରିବାର ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥାଇପାରନ୍ତି। ମୃତ ମହେଶଙ୍କ ମୋବାଇଲ୍ରୁ ମିଳିଥିବା ଅଡିଓ ରେକର୍ଡିଂ ଓ ସମ୍ପତ୍ତି ବିବାଦକୁ ନେଇ ତଦନ୍ତ ଚାଲିଛି।
ଅଡିଓ ରେକର୍ଡିଂରେ ସେ ନିଜ ପରିବାରର ଏହି ଦୁଃଖଦ ଘଟଣା ପାଇଁ ନିଜର ଦୁଇ ଭଉଣୀ ଓ ଭିଣୋଇଙ୍କୁ ଦାୟୀ କରିଥିବା କୁହାଯାଉଛି। ଏହି ମାମଲାରେ ତାଙ୍କର ଦୁଇ ଭଉଣୀ ଓ ଭିଣୋଇଙ୍କୁ ଗିରଫ କରାଯାଇଛି। ପୁଲିସର ପ୍ରାଥମିକ ସନ୍ଦେହ ଅନୁଯାୟୀ, ମହେଶ ଖାଦ୍ୟରେ ବିଷାକ୍ତ ପଦାର୍ଥ ମିଶାଇଥାଇପାରନ୍ତି। ତେବେ ମୃତ୍ୟୁର ସଠିକ୍ କାରଣ ଓ ବିଷାକ୍ତ ପଦାର୍ଥର ପ୍ରକୃତି ଜାଣିବା ପାଇଁ ଫରେନ୍ସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି।
Powered by Froala Editor