ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ଆସିଥିବା ଗୁଜରାଟ ଝିଅକୁ ଝୁଣି ପକାଇଲେ
ଚାଞ୍ଚଲ୍ୟ ଖେଳାଇଦେଇଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରର ଲୋମହର୍ଷଣକାରୀ କାଣ୍ଡ। ଯୁବତୀଜଣକ ‘ମୁଝେ ବଚାଓ, ମୁଝେ ବଚାଓ’ ବୋଲି ଆକୁଳ ନିବେଦନ କରୁଥିଲେ । ହେଲେ କେହି କର୍ଣ୍ଣପାତ କଲେନି। ହିଂସ୍ର ହୋଇଉଠିଲେ ସଭିଏଁ। ନିର୍ବଳା ଯୁବତୀଟି ଉପରେ ସଂଘବଦ୍ଧ ହୋଇ ଝାମ୍ପି ପଡ଼ିଲେ। ମନଇଛା ନିର୍ଧୁମ ପିଟିଚାଲିଲେ । ସର୍ବସମ୍ମୁଖରେ ନିର୍ବସ୍ତ୍ର କରିବାକୁ ବି ପଛେଇଲେନି। ସତେ ଯେମିତି, ସଭିଁଙ୍କ ମନରୁ ମାନବିକତା ମରିଗଲା। ବିବେକଶୂନ୍ୟ ହୋଇଗଲେ ସଭିଏଁ। ରାୟଗଡ଼ା କଲ୍ୟାଣସିଂହପୁରରେ ଘଟିଥିବା ଏଭଳି ବୀଭତ୍ସକାଣ୍ଡର ଏକାଧିକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
କିଛି ଶୁଣିଲେନି...ଆକୁଳ ନିବଦେନ ସତ୍ତ୍ବେ ଡ୍ରେସ ଚିରି ଆକ୍ରମଣ କଲେ ଭୟଙ୍କର ବର୍ବରତା। ବାଲିଅନ୍ତାଠୁ ବି ବୀଭତ୍ସ। ଛାତି ଫାଟିଗଲା ଭଳି ଦୃଶ୍ୟ। ଚିଲେଇ ଚିଲେଇ ନେହୁରା ହେଉଥିଲା ଝିଅ, ପିଟି ଚାଲିଥିଲେ ପିଶାଚ। ସତେଯେମିତି ଆଉ ଜଣେ ସୌମ୍ୟଙ୍କୁ ମାରି ଚାଲିଥିଲେ। ମାନବିକତାକୁ ମାରି ଗଣ ନିର୍ଯାତନା ଦେଉଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରର ସେହି ଦୃଶ୍ୟ ଯିଏ ଦେଖୁଛି ସିଏ କହୁଛି- ଏମାନେ ମଣିଷ ନା ଜହ୍ଲାଦ ?
ଗତ ୧୬ ତାରିଖରେ କଲ୍ୟାଣସିଂହପୁର ଇନ୍ତାଲିଗୁଡ଼ା ଗାଁରେ ଘଟିଥିବା ଲୋମହର୍ଷଣକାରୀ ଭିଡ଼ ହିଂସାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ। ଘଟଣାକୁ ନେଇ ତତ୍ପର ହୋଇଛି ପୋଲିସ । ବନ୍ଧା ହୋଇଛନ୍ତି ସେଦିନର ୧୬ ହିଂସାକାରୀ। ନିଖୋଜଙ୍କୁ ଧରିବାକୁ ତନାଘନା ଚାଲିଛି। ନିଜେ ଏସପି ପୀଡ଼ିତାଙ୍କ ସମେତ ଅନ୍ୟ ଜଣେ ଗୁରୁତରଙ୍କୁ ଡାକ୍ତରଖାନାରେ ଭେଟି ଆଲୋଚନା ବି କରିଛନ୍ତି।
ସୁଦୂର ଗୁଜରାଟର ସୁରତରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଥିବା ‘ଗ୍ରାମ ବିକାଶ’ ନାମକ ଏନ୍ଜିଓକୁ ଏକ୍ସପୋଜର୍ ଭିଜିଟ୍ରେ ଆସିଥିଲେ ଅର୍ପିତା ସୁତାରିୟା । ସେ ବିବାହିତା। ତାଙ୍କ ସହକର୍ମୀ ଥିଲେ ଦିଲ୍ଲୀ ଆଜାଦପୁରର ସୁମନ ଝା। ଉଭୟଙ୍କ ଉଦ୍ଦେଶ୍ୟ ଥିଲା, ଓଡ଼ିଶାର ଉପାନ୍ତ ଇଲାକାରେ ପଛୁଆବର୍ଗର ଲୋକଙ୍କ ସେବା କରିବା । ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା । ସେମାନେ ପୂର୍ବରୁ ମଧ୍ୟ ଦୁଇ ବର୍ଷ ଧରି ଫେଲୋସିପ୍ ପ୍ରୋଗ୍ରାମରେ ଦୁଇ ଥର ଆସିଛନ୍ତି। କହିବାକୁ ଗଲେ ସେମାନେ ଥିଲେ ଆମ ରାଜ୍ୟର ଅତିଥି। କିନ୍ତୁ ଫଳ ମିଳିଲା ଓଲଟା। ବିନା କାରଣରେ ସ୍ଥାନୀୟ ଲୋକମାନେ ଉଭୟଙ୍କୁ ପିଲା ଚୋର ସନ୍ଦେହରେ ଘେରିଗଲେ । କିଛି ମଦ୍ୟପ ପିଲା ଚୋର ପିଲା ଚୋର ବୋଲି ଚିତ୍କାର କଲେ । ଏଥିରେ ଭାସିଯାଇ ପ୍ରାୟ ତିନୋଟି ଗ୍ରାମରେ ଲୋକେ ଯୁବକ-ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ । ଉଭୟେ ଲୋକଙ୍କୁ ନିଜ ପରିଚୟ ଦେଲେ । ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ବୋଲି ଆଇ କାର୍ଡ ଦେଖାଇଲେ । ତଥାପି କେହି ସେମାନଙ୍କ ଗୁହାରି ଶୁଣିଲେନି । ହଠାତ୍ ହିଂସ୍ର ହୋଇଉଠିଲେ ସଭିଏଁ । ପୁଲିସ ଓ କିଛି ସହୃଦୟ ଲୋକ ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଲେ । ଉତ୍ତ୍ୟକ୍ତ ଲୋକେ ସେଠାକୁ ମାଡ଼ିଗଲେ । ହସ୍ପିଟାଲ କବାଟ ଭାଙ୍ଗିକି ଧସେଇ ପଶିଲେ । ଅବଶ୍ୟ କଲ୍ୟାଣସିଂପୁର ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ।
Powered by Froala Editor