UPI ଓ ATM ରେ ଉଠାଇ ହେବ EPFO ଟଙ୍କା
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO)ର ଗ୍ରାହକମାନେ ଖୁବ୍ ଶୀଘ୍ର ଆଗାମୀ EPFO 3.0 ଡିଜିଟାଲ୍ ପ୍ଲାଟଫର୍ମ ଅଧୀନରେ UPI ଆପ୍ସ ଏବଂ EPF-ଲିଙ୍କ୍ଡ ATM ମାଧ୍ୟମରେ ସେମାନଙ୍କର ଭବିଷ୍ୟନିଧି ପାଣ୍ଠି (PF) ଟଙ୍କା ଉଠାଇ ପାରିବେ। ସୂଚନା ଅନୁଯାୟୀ, ଏହି ସୁବିଧା ଜୁନ୍ ଶେଷ ସୁଦ୍ଧା ଆରମ୍ଭ ହେବ। ବିଶେଷଜ୍ଞଙ୍କ ମତରେ ଏହି ବୈଶିଷ୍ଟ୍ୟ କାଗଜପତ୍ର ବିଳମ୍ବ ହ୍ରାସ କରିବ । ଏହାସହ ସ୍ୱଚ୍ଛତା ଏବଂ ଦାୟିତ୍ୱରେ ଉନ୍ନତି ଆଣିବ।
ବର୍ତ୍ତମାନ ପିଏଫ୍ ଉଠାଣ ପାଇଁ ସାଧାରଣତଃ ସଦସ୍ୟମାନଙ୍କୁ କ୍ଲେମ ଦାଖଲ କରି ପ୍ରସେସିଂ ପାଇଁ ଅପେକ୍ଷା କରିବାକୁ ପଡ଼ିଥାଏ। କହିବାକୁ ଗଲେ ଇପିଏଫ୍ ଉଠାଣ ପାଇଁ ଏକ ଆନୁଷ୍ଠାନିକ କ୍ଲେମ୍ ଏବଂ ଇପିଏଫ୍ ଅନୁମୋଦନ ପ୍ରକ୍ରିୟା ଆବଶ୍ୟକ ହୋଇଥାଏ । ଏହା ସମୟ ସାପେକ୍ଷ ହୋଇଥିଲେ ମଧ୍ୟ ଇପିଏଫ୍ ଆଇନର ସାମାଜିକ ସୁରକ୍ଷାକୁ ବିଚାରକୁ ନେଇ ଏକ ଭେରିଫିକେସନ ମଧ୍ୟ କରାଯାଇଥାଏ ।
ୟୁପିଆଇ ଏବଂ ଏଟିଏମ୍ ମାଧ୍ୟମରେ ଉଠାଣ ପାଇଁ ପଦକ୍ଷେପ ବ୍ୟକ୍ତିବିଶେଷଙ୍କୁ ସହଜରେ ଟଙ୍କା ଉଠାଇପାରିବାର ସୁଯୋଗ ଦେବ । ତେବେ ଏହାକୁ କେମିତି ଅଥେଣ୍ଟିକେଟ୍ କରାଯିବା ସହ ଠକେଇଠାରୁ ନିରାପଦରେ ରଖାଯିବ, ତାହା ବଡ଼ କଥା ବୋଲି କହିଛନ୍ତି ବମ୍ବେ ଲ ଚାମ୍ବର୍ସର ପାର୍ଟନର ସୌମ୍ୟ ରାମକୃଷ୍ଣନ ।
ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ସହ ସହଭାଗୀତାରେ ବିକଶିତ ନୂତନ ସୁବିଧା ପାଇଁ ପରୀକ୍ଷଣ ପୂର୍ବରୁ ସମାପ୍ତ ହୋଇସାରିଛି ବୋଲି କୁହାଯାଇଛି । ଏହି ଅପଗ୍ରେଡ୍ ଦ୍ଵାରା UAN ଆକ୍ଟିଭେସନ ଦ୍ରୁତ ଏବଂ ସରଳ ହେବ । PF ପାସବୁକ୍ ଅନଲାଇନରେ ସହଜରେ ଉପଲବ୍ଧ ହେବ ଏବଂ ଆଧାର-ଲିଙ୍କ୍ ହୋଇଥିବା ବିବରଣୀର ଶୀଘ୍ର ସଂଶୋଧନ ହୋଇପାରିବ ବୋଲି ଆଶା କରାଯାଉଛି।
Powered by Froala Editor