ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା
ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହୋଇଛି। ଶୁକ୍ରବାର ଦିନ ଶିଳ୍ପଭିତ୍ତିକ ଡିଜେଲ ଓ ପ୍ରିମିୟମ୍ ପେଟ୍ରୋଲ ଦରରେ ବଡ଼ ଧରଣର ବୃଦ୍ଧି ଘୋଷଣା କରିଛନ୍ତି। ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବିକ୍ରି ହେଉଥିବା ବଲ୍କ ଡିଜେଲ ଲିଟର ପିଛା ୨୧.୯୨ ଟଙ୍କା (ପ୍ରାୟ ୨୫%) ବୃଦ୍ଧି ପାଇ ଦିଲ୍ଲୀରେ ୧୦୯.୫୯ ଟଙ୍କାରେ ପହଞ୍ଚିଥିବାବେଳେ ପ୍ରିମିୟମ୍ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ବଢ଼ିଛି।
ଏହି ପଦକ୍ଷେପ ଏପରି ସମୟରେ ଆସିଛି ଯେତେବେଳେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୂରାଜନୈତିକ ଉତ୍ତେଜନା ବିଶ୍ୱ ଇନ୍ଧନ ବଜାରକୁ ପ୍ରଭାବିତ କରୁଛି। ତଥାପି, HPCLର ନିୟମିତ ପେଟ୍ରୋଲର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ୱରୁ, HPCL X ରେ ଏକ ପୋଷ୍ଟରେ କହିଥିଲା, “ଅଶୋଧିତ ତୈଳ ଯୋଗାଣରେ କୌଣସି ବାଧା ନାହିଁ। ଅତିରିକ୍ତ ପଠାଣ ପୂର୍ୱରୁ ଚାଲିଛି ଏବଂ ଆଗାମୀ ଦିନରେ ଭାରତର ଯୋଗାଣ ସ୍ଥିତିକୁ ଆହୁରି ମଜବୁତ କରିବ।” ଏଥିରେ ଆହୁରି ମଧ୍ୟ କୁହାଯାଇଛି, “ଗୁଜବ ଏଡାନ୍ତୁ। ସରକାରୀ ଅପଡେଟ ଉପରେ ନିର୍ଭର କରନ୍ତୁ।”
ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ଦର ବ୍ୟାରେଲ ପିଛା ୧୦୮ ଡଲାର ଅତିକ୍ରମ କରିବା ପରେ ତୈଳ ବିପଣନ କମ୍ପାନୀଗୁଡ଼ିକ ଉପରେ ଚାପ ବଢ଼ିବାରେ ଲାଗିଛି। ଇରାନ ପକ୍ଷରୁ କାତାରର ଶକ୍ତି ଭିତ୍ତିଭୂମି ଉପରେ ହୋଇଥିବା ଆକ୍ରମଣ ପରେ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି। ବିଶେଷ କରି ଭାରତ ନିଜର ୪୭% ଏଲପିଜି କାତାରରୁ ଆମଦାନୀ କରୁଥିବାରୁ ଏବେ ବିକଳ୍ପ ଉତ୍ସ ସନ୍ଧାନ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ପେଟ୍ରୋଲିୟମ ମନ୍ତ୍ରାଳୟ ଅନୁଯାୟୀ, ଘରୋଇ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟବସାୟିକ ଏଲପିଜି ଯୋଗାଣରେ କିଛିଟା କାଟ୍ କରାଯାଇଛି, କିନ୍ତୁ ଦେଶରେ ତୈଳ ମହଜୁଦ ପର୍ଯ୍ୟାପ୍ତ ରହିଛି।
ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ଏହାର ପ୍ରିମିୟମ ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର 2ଟଙ୍କା ବୃଦ୍ଧି କରିଛି। ନୂତନ ଦର ଶୁକ୍ରବାର ଠାରୁ କାର୍ଯ୍ୟକାରୀ ହୋଇଛି।
Powered by Froala Editor