ଷ୍ଟାଚ୍ୟୁ ଅଫ୍ ୟୁନିଟିର ସ୍ଥପତି ରାମ ବନଜୀ ସୁତାର ଆଉ ନାହାଁନ୍ତି
ପ୍ରଖ୍ୟାତ ଶିଳ୍ପୀ ପଦ୍ମ ଭୂଷଣ ରାମ ବନଜୀ ସୁତାର ଆଉ ନାହାଁନ୍ତି । ବୁଧବାର ବିଳମ୍ଵିତ ରାତିରେ ନୋଏଡା ସ୍ଥିତ ବାସଭବନରେ ସେ ଇହଲୀଳା ସମ୍ଵରଣ କରିଛନ୍ତି। ଏନେଇ ତାଙ୍କ ପୁଅ ଅନିଲ ସୁତାର ସୂଚନା ଦେଇଛନ୍ତି। ସମ୍ପ୍ରତି ମହାରାଷ୍ଟ୍ର ସରକାର ତାଙ୍କୁ ତାଙ୍କର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ମହାରାଷ୍ଟ୍ର ଭୂଷଣ’ରେ ସମ୍ମାନିତ କରିଛନ୍ତି। ତାଙ୍କୁ ପୂର୍ବରୁ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ଟାଗୋର ପୁରସ୍କାର ପ୍ରଦାନ କରାଯାଇଥିଲା।
୧୯୨୫ ଫେବୃଆରୀ ୧୯ରେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଗୋନ୍ଦୁର ଗ୍ରାମରେ ଏକ ସାଧାରଣ ପରିବାରରେ ରାମ ସୁତାରଙ୍କ ଜନ୍ମ। ପିଲାଦିନରୁ ମୂର୍ତ୍ତି ତିଆରି ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେ ମୁମ୍ଵାଇ ସ୍ଥିତ ଜେ.ଜେ ସ୍କୁଲ ଅଫ ଆର୍ଟ ଆଣ୍ଡ ଆର୍କିଟେକଚରରେ ପାଠ ପଢି ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ।
୧୯୫୯ ମସିହାରେ, ରାମ ସୂତାର ଦିଲ୍ଲୀ ଆସି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ କାମ କରିବା ଆରମ୍ଭ କରିଥିଲେ। ତଥାପି, କଳା ପ୍ରତି ତାଙ୍କର ସମର୍ପଣ ଏତେ ଗଭୀର ଥିଲା ଯେ ସେ କିଛି ସମୟ ପରେ ସରକାରୀ ଚାକିରି ଛାଡି ମୂର୍ତ୍ତିକଳା ପାଇଁ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରିଥିଲେ। ୧୯୬୧ରେ, ଗାନ୍ଧୀ ସାଗର ଡ୍ୟାମରେ ତାଙ୍କର ୪୫ ଫୁଟ ଉଚ୍ଚ ଦେବୀ ଚମ୍ବଲଙ୍କ ପ୍ରତିମୂର୍ତ୍ତି ତାଙ୍କୁ ଜାତୀୟ ସ୍ତରରେ ପରିଚିତି ଆଣିଥିଲା। ପରବର୍ତ୍ତୀ ସମୟରେ ସେ ସଂସଦ ଭବନ ପରିସରରେ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ଜୀବନ ଆକାର ପ୍ରତିମୂର୍ତ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କୃତି ସୃଷ୍ଟି କରିଥିଲେ। ମହାରାଜା ରଣଜିତ ସିଂହ, ଛତ୍ରପତି ଶାହୁ ମହାରାଜ, ଇନ୍ଦିରା ଗାନ୍ଧୀ, ଜୟପ୍ରକାଶ ନାରାୟଣ, ମହାତ୍ମା ଫୁଲେ, ପଣ୍ଡିତ ନେହେରୁ ଏବଂ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ସ୍ଥାପିତ ହୋଇଛି।
ଗୁଜରାଟରେ ସ୍ଥାପିତ ଷ୍ଟାଚ୍ୟୁ ଅଫ ୟୁନିଟି ତାଙ୍କର ଏକ ଐତିହ୍ୟ କୃତି। ଯାହାକି ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ଏବଂ ତତ୍କାଳୀନ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ସମର୍ପିତ। ଷ୍ଟାଚ୍ୟୁ ଅଫ ୟୁନିଟି ତାଙ୍କୁ ବୈଶ୍ଵିକ ସ୍ତରରେ ପରିଚୟ ଦେଇଥିଲା। ରାମ ସୁତାରଙ୍କ ପରଲୋକରେ କଳା ଓ ସାଂସ୍କୃତିକ ଜଗତର ଅପୂରଣୀୟ କ୍ଷତି ହୋଇଛି।
Powered by Froala Editor