ଆଜିଠୁ ବିଧାନସଭା ଶୀତ ଅଧିବେଶନ
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକରେ ମମିତା ମେହେରକୁ ନ୍ୟାୟ ଦେବା ପ୍ରସଙ୍ଗକୁ ଗୃହରେ ଜୋରଦାର ଢଙ୍ଗରେ ଉଠାଇବାକୁ ରଣନୀତି ପ୍ରସ୍ତୁତ ହୋଇଥିବାବେଳେ ଦରଦାମ ବୃଦ୍ଧି,କେନ୍ଦ୍ରୀୟ ଅବହେଳା ଓ ସ୍ୱାମୀନାଥନ୍ କମିଟି ସୁପାରିଶ ଲାଗୁ ଆଦିକୁ ଉଠାଇବାକୁ ଶାସକ ବିଜେଡି ରଣନୀତି କରିଛି।
ବିଧାନସଭାର କାର୍ୟ୍ୟସୂଚୀ ଅନୁସାରେ, ଆଜିଠୁ ବିଧାନସଭାର ୨୬ଦିନିଆ ଶୀତ ଅଧିବେଶନ ଆରମ୍ଭ ହେଉଥିବାବେଳେ ପ୍ରଥମଦିନରେ ଦିବଂଗତଙ୍କ ସମ୍ମାନରେ ଶୋକପ୍ରସ୍ତାବ ଆଗତ ଓ ପାରିତ ହେବା ସହ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଥିବା ବିଲ୍ ସମ୍ପର୍କରେ ଗୃହକୁ ଅବଗତ କରାଯିବ ଏବଂ ଅପରାହ୍ନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ। ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା, ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ ଓ ରାମରାୟ ମୁଣ୍ଡାଙ୍କ ସମେତ ସିପାହୀ ସୀତାରାମ ମୁର୍ମୁ ଏବଂ ସମସ୍ତ କରୋନା ଯୋଦ୍ଧାଙ୍କ ସମ୍ମାନରେ ଗୃହରେ ଶୋକ ପ୍ରସ୍ତାବ ଆସିବ।
ଶୀତ ଅଧିବେଶନ ପାଇଁ ଆଜି ଶାସକ ବିଜେଡି ଓ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜର ବିଧାୟକ ଦଳ ବୈଠକରେ ରଣନୀତିକୁ ଚୂଡ଼ାନ୍ତ କରିଛନ୍ତି। ମୁଖ୍ୟ ବିରୋଧୀ ଦଳ ବିଜେପିର ବିଧାୟକ ଦଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଏହାର ସିବିଆଇ ତଦନ୍ତ ଦାବିକୁ ଦଳ ଜୋରଦାର କରିବ । ଏହାସହ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା, ଧାନମଣ୍ଡିରେ ଅବ୍ୟବସ୍ଥା, ରଙ୍ଗଦେଇ ସ୍କୁଲ ରୂପାନ୍ତରିକରଣ ଓ ବିପର୍ୟ୍ୟୟ ଶିକ୍ଷା ବ୍ୟବସ୍ଥା, ଆବାସ ଯୋଜନା ଦୁର୍ନୀତି, ବିଜୁ ସ୍ୱାସ୍ଥ୍ୟ କାର୍ଡ ଓ ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି, ଜିଲ୍ଲା ଖଣିଜ ପାଣ୍ଠିର ଦୂରୂପଯୋଗ, କାମ୍ପା ପାଣ୍ଠି ଦୁର୍ନୀତି ଆଦି ପ୍ରସଙ୍ଗକୁ ବିଜେପି ଗୃହରେ ଉଠାଇବ ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ସମ୍ପର୍କରେ ସୂଚନା ଦେଇ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ମମିତା ମେହେରକୁ ନ୍ୟାୟ ଦେବା ପାଇଁ ଏସଆଇଟି ଗଠନ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର, ଚାଷୀ ସମସ୍ୟା, ବେକାର ଯୁବକଙ୍କୁ ନିଯୁକ୍ତିି, ଦରଦାମ ବୃଦ୍ଧି, ମୁଖ୍ୟମନ୍ତ୍ରୀ କହିବା ସତ୍ତ୍ୱେ ଓବିସି ସଂରକ୍ଷଣ ଲାଗୁ ନକରିବା, ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ଅନିୟମିତତାକୁ ନେଇ ଦଳ ବିଧାନସଭାରେ ସରକାରଙ୍କୁ ଘେରିବ ।
ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ, ବିରୋଧୀ ଦଳ ଯେଉଁ ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚାହିଁବ ସେଥିପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ତେବେ ବିଜେଡି ଚଳିତ ଶୀତ ଅଧିବେଶନରେ କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ସେ କହିଛନ୍ତି ।
Powered by Froala Editor