ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ
ପୂର୍ବରୁ ସୁନା ଚମକ ଆଗରେ ରୁପା ଫିକା ପଡ଼ିଥିଲା । ମାତ୍ର ଏବେ ରୁପାରେ ଚମକ ରହିଥିବା କହିଛନ୍ତି ବ୍ୟବସାୟୀ । ଲୋକେ ସୁନା ପରିବର୍ତ୍ତେ ରୁପା ମୁହାଁ ହୋଇଛନ୍ତି । ପାର୍ବଣରେ ଏହି ଧାରା ଆହୁରି ଦୃଢ଼ ହୋଇଛି । ଏହାକୁ ଦେଖି ସୁନା ଦୋକାନୀ ଏବଂ ବ୍ୟବସାୟୀମାନେ ବ୍ୟାପକ ବର୍ଗର ଗହଣା ରେଞ୍ଜ୍ ସହ ଆକର୍ଷଣୀୟ ଅଫର ଦେଉଛନ୍ତି ।
ରୁପା କିଲୋ ପିଛା ଦର ୨.୩ ଲକ୍ଷ ଟଙ୍କା ରହିଛି । ରୁପାର ପ୍ରାରମ୍ଭିକ ମୂଲ୍ୟ ସୁନାଠାରୁ ମଧ୍ୟ କମ୍ । ସୁଲଭତା ଦୃଷ୍ଟିକୋଣରୁ ରୁପା କିଣା ପ୍ରତି ମଧ୍ୟବିତ୍ତ ବର୍ଗ ଢେର ଆଗ୍ରହ ଦେଖାଉଛନ୍ତି । ୨୪ କ୍ୟାରେଟ୍ ବର୍ଗରେ ୧୦ ଗ୍ରାମ ସୁନା ଲାଗି ୧.୫ ଲକ୍ଷ ଟଙ୍କା ଲାଗୁଥିବା ବେଳେ ସମାନ ଦରରେ ଲୋକେ ୬୫୦ ଗ୍ରାମ ରୁପା ପାଉଛନ୍ତି । ସେହିଭଳି ବର୍ତ୍ତମାନର କିଲୋ ପିଛା ୨.୩ ଲକ୍ଷ ଟଙ୍କାର ଦର ଆଗାମୀ ଦିନରେ ୪ ଲକ୍ଷ ଯାଏ ବଢ଼ିବା ଆକଳନ ରହିଛି । ଫଳରେ ଲୋକେ ରୁପା ନିବେଶକୁ ଦୃଷ୍ଟିରେ ରଖି ବଡ଼ ମାତ୍ରାରେ କ୍ରୟ କରୁଛନ୍ତି।
ବଜାରରେ ଭଳିକି ଭଳି ସ୍ୱତନ୍ତ୍ର ରୁପା ଗହଣା ସାଙ୍ଗକୁ ରୁପାରେ ପ୍ରସ୍ତୁତ ଠାକୁରଙ୍କ ପ୍ରତିମା, ସ୍ମୃତି ଫଳକ ଏବଂ ବିସ୍ତୃତ ବର୍ଗର ଉପହାର ସାମଗ୍ରୀ ଲୋକେ କିଣୁଛନ୍ତି । ଅକ୍ଟୋବର ୧୧ରୁ ନବରାତ୍ରି ଆରମ୍ଭ ହେଉଥିବା ବେଳେ ଏଥର ପାର୍ବଣରେ ରୁପା ଗହଣା ବିକ୍ରି ଏକ ପ୍ରମୁଖ ଅଂଶ ହାସଲ କରିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।
ସୁରତ ସ୍ଥିତ ଏସ୍ଏନ୍ ଜୁଏଲର୍ସର ସ୍ୱତ୍ୱାଧିକାରୀ ନାଗ୍ନେସ୍ ପଚ୍ଛିକର କହିଛନ୍ତି, ଗୋଟିଏ ବର୍ଷ ପୂର୍ବରୁ ମୋଟ ବିକ୍ରିରେ ରୁପାର ଅଂଶ ୧୦% ଥିଲା । ମାତ୍ର ଏହା ବର୍ତ୍ତମାନ ୩୫% ବଢ଼ିଛି। ଏମିତିକି ହୀରା କାରବାରଠାରୁ ରୁପାର ବିକ୍ରି ଅଧିକ ରହିଛି । ଅନ୍ୟପଟେ ସୁନା ହଲ୍ମାର୍କିଂ ଦେୟ ବଢ଼ିଛି । ଏଭଳି ସ୍ଥିତିରେ ଜାଲ୍ ହଲମାର୍କ ଗହଣା ବିକ୍ରି ମଧ୍ୟ ବଢ଼ିପାରେ ।
Powered by Froala Editor