ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ପାଠ କରୁଥିଲେ ସ୍ମିତ
ନୂଆଦିଲ୍ଲୀ : ଏବେ ଚାରିଆଡେ ଗୋଟିଏ ନାଁ ଖୁବ୍ ଚର୍ଚ୍ଚାରେ। ସେ ହେଉଛନ୍ତି ସ୍ମିତ୍ ମଚ୍ଛାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଫ୍ଲାଏଦୁବାଇର ଭାରତୀୟ ପାଇଲଟ୍ ସ୍ମିତଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ କ୍ୟାପ୍ଟେନଙ୍କ ସାହସିକତାକୁ ପ୍ରଶଂସା କରିଥିଲେ, ଯାହାଙ୍କ ସାହସ ଫ୍ଲାଏଦୁବାଇ ବିମାନରେ ଥିବା କ୍ରୁ ସଦସ୍ୟଙ୍କ ସମେତ ୧୮୦ ଜଣଙ୍କ ଜୀବନ ରକ୍ଷା କରିଥିଲା। କଥାବାର୍ତ୍ତା ସମୟରେ, ପ୍ରଧାନମନ୍ତ୍ରୀ କ୍ୟାପ୍ଟେନଙ୍କ ଠାରୁ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ପାଇଲେ। ପ୍ରଧାନମନ୍ତ୍ରୀ କ୍ୟାପ୍ଟେନଙ୍କ ଅଭିଜ୍ଞତା ବିଷୟରେ ପଚାରି ବୁଝିଥିଲେ ଏବଂ ପଚାରିଥିଲେ ଯେ ସେ କିପରି ବିପଦର ସମ୍ମୁଖୀନ ହୋଇଥିଲେ ଏବଂ ଏତେ କଷ୍ଟକର ପରିସ୍ଥିତିରେ ମଧ୍ୟ ସାହସ ବଜାୟ ରଖିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ସାହସ, ଜ୍ଞାନ ଏବଂ ସଂଯମତାକୁ ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ଦେଶ ତାଙ୍କ ପାଇଁ ପ୍ରାର୍ଥନା କରୁଛି। କଲ୍ ସମୟରେ, କ୍ୟାପ୍ଟେନ୍ ସ୍ମିତ୍ ଭାବପ୍ରବଣ ହୋଇଯାଇଥିଲେ ଏବଂ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ତାଙ୍କ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ମୁହୂର୍ତ୍ତ ଥିଲା ଏବଂ ତାଙ୍କୁ ତାଙ୍କର ସବୁଠାରୁ ବଡ଼ ଆଦର୍ଶ ବୋଲି କହିଥିଲେ। ଏହାସହ ସ୍ମିତ୍ କହିଛନ୍ତି, ସମସ୍ତ ବିପଦ ହେଉ କି ଅନ୍ୟ ସମୟରେ ସେ ହନୁମାନ ଚାଳିଶା ପାଠ କରନ୍ତି ଏବଂ ସେହି ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ପାଠ କରୁଥିଲେ। କ୍ୟାପ୍ଟେନଙ୍କ ସହ କଥାବାର୍ତ୍ତା ସମୟରେ, ପ୍ରଧାନମନ୍ତ୍ରୀ କହିଥିଲେ ଦେଶ ଗର୍ବର ସହିତ କହିପାରିବ ଯେ ଭାରତୀୟମାନେ ଅନ୍ୟମାନଙ୍କ ଜୀବନ ନେଉ ନାହାଁନ୍ତି, ବରଂ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପ୍ରସ୍ତୁତ।
ପ୍ରଧାନମନ୍ତ୍ରୀ କ୍ୟାପ୍ଟେନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ବୁଧବାର ଦୁବାଇରୁ ଇସ୍ରାଏଲର ରାଜଧାନୀ ତେଲ ଅଭିଭ ଯାଉଥିବା ଏକ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଚେଷ୍ଟା କରାଯାଇଥିଲା। ଅଭିଯୁକ୍ତ ବିମାନର ସହ-ପାଇଲଟ୍ ଥିଲେ। ଅଭିଯୁକ୍ତ ଭାରତୀୟ ପାଇଲଟ୍ ସ୍ମିତଙ୍କ ଉପରେ ଏକ ଧାରୁଆ ବସ୍ତୁରେ ଆକ୍ରମଣ କରିଥିଲେ। ଗୁରୁତର ଆହତ ହେବା ସତ୍ତ୍ୱେ, କ୍ୟାପ୍ଟେନ୍ ସାହସ ପ୍ରଦର୍ଶନ କରିଥିଲେ ଏବଂ କକପିଟ୍ ଦ୍ୱାର ଖୋଲି ଦେଇଥିଲେ, ଯାହା ପରେ କିଛି ଯାତ୍ରୀ କକପିଟ୍ ଭିତରକୁ ପ୍ରବେଶ କରି ଅଭିଯୁକ୍ତଙ୍କୁ ପରାସ୍ତ କରିଥିଲେ। ତା’ପରେ ବିମାନଟି ସଫଳତାର ସହ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା। ଆକ୍ରମଣ ସମୟରେ ବିମାନରେ ଥିବା ୧୭୪ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫୦ ଜଣ ଇସ୍ରାଏଲୀ ନାଗରିକ ଥିଲେ।
Powered by Froala Editor