ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୧୪୦ ଡଲାର ଛୁଇଁବ
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୧୪୦ ଡଲାରରୁ ଅଧିକ ହୋଇଯିବ। ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା, ଭୂରାଜନୈତିକ ସଙ୍କଟ ପାଇଁ ତେଲ ମହଙ୍ଗା ହେବ ବୋଳି ଗୋଲ୍ଡମ୍ୟାନ୍ ସଚ୍ସ ଏହାର ଏକ ରିପୋର୍ଟରେ ଜଣାଇଛି। ତେବେ ମଧ୍ୟପ୍ରାଚ୍ୟରୁ ଯୋଗାଣରେ ସୁଧାର ହେଉଥିବାରୁ ଦରରେ ସାମାନ୍ୟ ହ୍ରାସ ହେବାର ମଧ୍ୟ ସମ୍ଭାବନା ଥିବା ଗୋଲ୍ଡମ୍ୟାନ୍ ସଚ୍ସ କହିଛି।
ବୁଧବାର ବ୍ରେଣ୍ଟ୍ କ୍ରୁଡ୍ ଦର ବ୍ୟାରେଲ୍କୁ ୧୧୦.୪୦ ଡଲାରକୁ ବୃଦ୍ଧି ପାଇଛି। ସେହିପରି ଆମେରିକାର ୱେଷ୍ଟ୍ ଟେକ୍ସାସ୍ ଇଣ୍ଟରମେଡିଆରିଜ୍ (ଡବ୍ଲ୍ୟୁଟିଆଇ) ଦର ୯୯.୨୭ ଡଲାରକୁ ବଢ଼ିଛି। ଆମେରିକା ଓ ଇରାନ ମଧ୍ୟରେ ଆଲୋଚନାର ସମ୍ଭାବନା ସୃଷ୍ଟି ହେବା ପରେ ତେଲ ଦର କମ୍ ହୋଇଥିଲା। କିନ୍ତୁ ତାହା ଫଳପ୍ରଦ ନ ହେବାରୁ ତେଲ ପୁଣି ବଢ଼ିବା ଆରମ୍ଭ କରିଛି।
ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ହେଉଥିବା ଆକ୍ରମଣ, ମଧ୍ୟପ୍ରାଚ୍ୟର ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ ଓ ଚଳିତ ବର୍ଷ ୟୁରୋପରେ ସ୍ବାଭାବିକଠାରୁ ଅଧିକ ଶୀତ ହେବା ଆକଳନ କରାଯାଇଥିବାରୁ ତୈଳ ଚାହିଦା ବଢ଼ିବ। ତେବେ ଏହା ଜଣାଇଛି ଯେ ଯଦି ମଧ୍ୟପ୍ରାଚ୍ୟରେ ତୈଳ ଯୋଗାଣ ଦୀର୍ଘଦିନ ଧରି ବାଧାପ୍ରାପ୍ତ ହେବ, ତେବେ ୨୦୨୭ ବର୍ଷ ସାରା ତେଲ ଦର ଉଚ୍ଚା ରହିବ। ୨୦୨୭ ଆରମ୍ଭ ବେଳକୁ ବ୍ରେଣ୍ଟ୍ କ୍ରୁଡ୍ ଦର ବ୍ୟାରେଲ୍କୁ ୧୪୦ ଡଲାରରେ ପହଞ୍ଚିଯିବ ଯାହା ବର୍ତ୍ତମାନ ୧୦୦-୧୧୦ ଡଲାର ମଧ୍ୟରେ ରହୁଛି। ୨୦୨୭ ବର୍ଷ ସାରାରେ ଏହାର ହାରାହାରି ଦର ବ୍ୟାରେଲ୍କୁ ୧୨୫ ଡଲାର ରହିବ।
Powered by Froala Editor