SBI ରେ ସାଇବର ଆଟାକ୍ , ୩ ହଜାର ୮୯୭ ଗ୍ରାହକଙ୍କ ଡାଟା ଲିକ୍
ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ ବ୍ୟାଙ୍କ- ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଗ୍ରାହକଙ୍କ ଡାଟା ଲିକ୍। ଏହି ଡାଟା ଚୋରି କେତେ ପରିମାଣରେ ହୋଇଛି, ଏବେ ତା ଉପରେ ଖୋଳତାଡ଼ ଜାରି ରଖିଛି SBI। ବ୍ୟାଙ୍କର ପ୍ରାଥମିକ ତଦନ୍ତରୁ ୩ ହଜାର ୮୯୭ ଗ୍ରାହକଙ୍କ ଡାଟା ଡାର୍କ ୱେବ୍ ରେ ଉପଲବ୍ଧ ଥିବା ଜଣାପଡ଼ିଛି। ଯେଉଁଥିରେ ରହିଛି ଗ୍ରାହକଙ୍କ ନାଁ, ମୋବାଇଲ୍ ନମ୍ବର, ଜନ୍ମ ତାରିଖ, ଲିଙ୍ଗ, ଇମେଲ୍ ଆଇଡି, ଘର ଠିକଣା ଆଦି ସୂଚନା। ଖାଲି ସେତିକି ନୁହେଁ, ଗ୍ରାହକଙ୍କ ବ୍ୟାଙ୍କ ଶାଖା, କଷ୍ଟମର୍ ଇନଫର୍ମେସନ୍ ଫାଇଲ୍ ବା CIF, ଲିଡ୍ ଆଇଡି ଏବଂ ଋଣ ସଂପର୍କିତ ରେକର୍ଡ ମଧ୍ୟ ଡାର୍କ ୱେବ୍ ରେ ରହିଛି।
ଏସବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, SBIର ସମସ୍ତ ବ୍ୟାଙ୍କିଂ ସେବା ସ୍ବାଭାବିକ ଭାବେ ଚାଲିଛି। ସାଇବର୍ ଆଟାକ୍ ଘଟଣା ସାମ୍ନାକୁ ଆସିବା ପରେ ଏହାର ମୁକାବିଲା ଲାଗି ତୁରନ୍ତ ଜରୁରୀ ପଦକ୍ଷେପ ନିଆଯାଇଛି। SBI ଡାଟା ଲିକ୍ ହଟଚମଟ ଭିତରେ ସିରିୟସିମ୍ ନାମକ ଏକ ଏକ ହ୍ୟାକର୍ ଗ୍ରୁପ୍ ଦାବି କରିଥିଲା ଯେ, ପ୍ରାୟ ୩ ଲକ୍ଷ ୭୫ ହଜାର ଗ୍ରାହକଙ୍କର ତଥ୍ୟ, ଗ୍ରୁପ୍ ହାସଲ କରିଛି। ତେବେ ଷ୍ଟକ୍ ଏକ୍ସଚେଞ୍ଜକୁ ଦେଇଥିବା ଫାଇଲିଂରେ ଏସବିଆଇ କୌଣସି ହ୍ୟାକର୍ ଗ୍ରୁପ୍ ର ନାଁ ଉଲ୍ଲେଖ କରିନାହିଁ।
ଏନେଇ ବ୍ୟାଙ୍କ, ଷ୍ଟକ୍ ଏକ୍ସଚେଞ୍ଜକୁ ଦେଇଥିବା ଫାଇଲିଂରେ ଜଣାଇଛି ଯେ, ଅକ୍ଟୋବର ୧୬ରେ ଡିଫେନ୍ସ ସାଇବର୍ ଏଜେନ୍ସି ଏବଂ ଇଣ୍ଡିଆନ୍ କଂପ୍ୟୁଟର ଏମର୍ଜେସନ୍ସି ରେସପନ୍ସ ଟିମ୍ ପକ୍ଷରୁ ଗ୍ରାହକଙ୍କ ତଥ୍ୟ ଡାର୍କ ୱେବ୍ ରେ ଉପଲବ୍ଧ ଥିବା ସୂଚନା ମିଳିଥିଲା। ଏହାପରେ ଡାର୍କ ୱେବ୍ ରେ ଗ୍ରାହକଙ୍କ ରେକର୍ଡ ଯାଂଚ କରାଯିବା ପରେ ୩ ହଜାର ୮୯୭ ଜଣ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ସଂପର୍କିତ ସୂଚନା ମିଳିଥିଲା।
Powered by Froala Editor