ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ କ୍ରାଇମ ବ୍ରାଞ୍ଚର ସମନ
ସିଜେପି ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ପକ୍ଷରୁ ଉଭୟଙ୍କୁ ସମନ ଜାରି କରାଯାଇଛି । ପୁଲିସ ନିର୍ଦ୍ଦେଶ ଦେଇଛି ଯେ, ଉଭୟ ନେତା ରାଜୌରୀ ଗାର୍ଡେନ୍ ସ୍ଥିତ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟରେ ଉପସ୍ଥିତ ରହି ନିଜର ବୟାନ ରେକର୍ଡ କରାନ୍ତୁ । ମାମଲାର ବିଭିନ୍ନ ଦିଗକୁ ନେଇ ସେମାନଙ୍କୁ ପଚରାଉଚରା କରାଯିବ ।
ଉଭୟଙ୍କ ମୁକ୍ତିକୁ ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦିପ୍କେ ଏବଂ ଆଇନଗତ ମୁଖ୍ୟ ରତ୍ନା ସିଂହ ସ୍ୱାଗତ କରିଛନ୍ତି । ସେହିପରି ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମଧ୍ୟ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ସମଗ୍ର ଦେଶ ସେମାନଙ୍କ ସାଙ୍ଗରେ ଥିବା କହିଛନ୍ତି । ଅନ୍ୟପକ୍ଷରେ, ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ସ୍ପଷ୍ଟ କରିଛନ୍ତି ଯେ ଉଭୟ ନେତାଙ୍କୁ ତ୍ରିରଙ୍ଗା ଉଡ଼ାଇଥିବାରୁ ନୁହେଁ, ବରଂ 'ପିସ୍ ବଣ୍ଡ୍' ଉଲ୍ଲଂଘନ କରିଥିବାରୁ ହାଜତକୁ ନିଆଯାଇଥିଲା ।
ଗତ ବୁଧବାର ଦିନ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ (SEM) କୋର୍ଟ ଉଭୟ ନେତାଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକା ଏବଂ ଜାମିନ ବଣ୍ଡ୍ ଆଧାରରେ ତିହାର ଜେଲରୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ । କୋର୍ଟରେ ଉଭୟ ନେତା ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ, ଯେତେଦିନ ପର୍ଯ୍ୟନ୍ତ ଜନ୍ତର-ମନ୍ତର ଅଞ୍ଚଳ ଡି-ନୋଟିଫାଇଡ୍ ରହିବ, ସେମାନେ ସେଠାରେ ଶାନ୍ତି ଭଙ୍ଗ କରିବେ ନାହିଁ କିମ୍ବା କୌଣସି ପ୍ରଦର୍ଶନର ଆହ୍ୱାନ କରିବେ ନାହିଁ । ଦିଲ୍ଲୀ ପୁଲିସ ସେମାନଙ୍କ ନ୍ୟାୟିକ ହାଜତକୁ ଆହୁରି ୩ ଦିନ ବୃଦ୍ଧି କରିବାକୁ ଆବେଦନ କରିଥିଲା ।
ପୁଲିସର ଯୁକ୍ତି ଥିଲା ଯେ ସେମାନଙ୍କ ବୟାନରେ ପରସ୍ପର ବିରୋଧୀ କଥା ରହିଛି ଏବଂ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିପାରେ । ତଥାପି, ଓକିଲଙ୍କ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା ଏବଂ ପ୍ରତିଶ୍ରୁତିକୁ ବିଚାରକୁ ନେଇ ମାଜିଷ୍ଟ୍ରେଟ ଅଧିକ ହାଜତ ଆବଶ୍ୟକତାକୁ ଖାରଜ କରିଦେଇଥିଲେ ।
Powered by Froala Editor