ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଆସିଲା ଏହି ଖବର, ଜାଣନ୍ତୁ....
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କୁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ସହାୟତା (DR) ବୃଦ୍ଧି ପାଇଁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। କେନ୍ଦ୍ର ସରକାର ୧ ଜୁଲାଇ ୨୦୨୬ରୁ ଲାଗୁ ହେବାକୁ ଥିବା ଏହି ସଂଶୋଧନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି। ଗତକାଲି ଅର୍ଥାତ ୨୧ ଅକ୍ଟୋବର ୨୦୨୬ (ବୁଧବାର) ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ସାପ୍ତାହିକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ସମୟରେ ୧.୨ କୋଟି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ ଆଶା ରଖିଥିଲେ ଯେ ସରକାର ଡିଏ ସମ୍ପର୍କରେ କିଛି ବଡ଼ ଘୋଷଣା କରିବେ। କିନ୍ତୁ ଏହି ବୈଠକରେ ମଧ୍ୟ ସରକାର ୧ ଜୁଲାଇ ୨୦୨୬ରୁ ବକେୟା ଥିବା ମହଙ୍ଗା ଭତ୍ତା (DA) କିସ୍ତିକୁ ମଞ୍ଜୁରୀ ଦେଇନାହାନ୍ତି। ଚଳିତ ମାସରେ କ୍ୟାବିନେଟର ଏହା ଲଗାତାର ତୃତୀୟ ବୈଠକ ଥିଲା, ଯେଉଁଥିରେ ଡିଏ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏହା ପୂର୍ବରୁ ୧୪ ଅକ୍ଟୋବରର ବୈଠକରେ ରେଳବାଇ କର୍ମଚାରୀମାନଙ୍କ ପାଇଁ ବୋନସ ମଞ୍ଜୁର କରାଯାଇଥିଲା, କିନ୍ତୁ ଡିଏ ଉପରେ ସେତେବେଳେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇ ନଥିଲା। ଏହାଦ୍ୱାରା କେନ୍ଦ୍ରୀୟ କର୍ମଚାରୀଙ୍କ ଉତ୍କଣ୍ଠା ଆହୁରି ବଢ଼ିଯାଇଛି ଏବଂ ଏବେ ସେମାନେ ଦୀପାବଳିରେ ଦରମା ବୃଦ୍ଧିର ଆଶା ବାନ୍ଧି ବସିଛନ୍ତି।
ଶିଳ୍ପ ଶ୍ରମିକମାନଙ୍କ ଖୁଚୁରା ମୁଦ୍ରାସ୍ଫୀତି ସୂଚକାଙ୍କ (CPI-IW) ତଥ୍ୟ ଆଧାରରେ ଏଥର ଡିଏରେ ୩% ବୃଦ୍ଧିର ଅନୁମାନ କରାଯାଉଛି, ଯାହାଫଳରେ DA ଏବଂ DR ବର୍ତ୍ତମାନର ୬୦%ରୁ ବୃଦ୍ଧି ପାଇ ୬୩% ହୋଇପାରେ। ତଥାପି ସରକାର ଏପର୍ଯ୍ୟନ୍ତ ସଂଶୋଧିତ ହାର ବିଷୟରେ ନିଶ୍ଚିତ କରିନାହାନ୍ତି।
ଏହି ବିଳମ୍ୱ ମଧ୍ୟରେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଆଶ୍ୱସ୍ତିର କଥା ହେଉଛି ଯେ, ସରକାର ଯେବେ ବି ଏହା ଘୋଷଣା କରନ୍ତୁ ନା କାହିଁକି, ଏହା ୧ ଜୁଲାଇ ୨୦୨୬ରୁ ହିଁ ଲାଗୁ ହୋଇଥିବା ଧରାଯିବ। ଅର୍ଥାତ କର୍ମଚାରୀମାନଙ୍କୁ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ୱର ମାସର ବକେୟା ରାଶି ଏକାସାଙ୍ଗରେ ପ୍ରଦାନ କରାଯିବ।
Powered by Froala Editor