ଦଶହରା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି
ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା କିଛି ହ୍ରାସ ପାଇଥିବା ବେଳେ ଏହା ପୁଣି ବଢ଼ିଛି। ଶୁକ୍ରବାର ସକାଳ ୯ଟା ୩୧ ମିନିଟ୍ରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୩୭ରେ ପହଞ୍ଚିଥିବା ଏକ୍ୟୁଆଇ ଡଟ୍ ଇନ୍ର ତଥ୍ୟରୁ ଜଣାପଡ଼ିଛି। ଦଶହରା ପରେ ପ୍ରଦୂଷଣ ବଢ଼ିବାରୁ ବାୟୁ ଗୁଣବତ୍ତା ପରିଚାଳନା କମିସନ (ସିଏକ୍ୟୁଏମ୍) ଅକ୍ଟୋବର ୨୧ରେ ଦିଲ୍ଲୀ-ଏନ୍ସିଆର୍ରେ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ୍ର ପ୍ରଥମ ପର୍ଯ୍ୟାୟ (ଗ୍ରାପ୍-୧) ଲାଗୁ କରିଥିଲା। ଏହାର ମାତ୍ର ଦୁଇ ଦିନ ପରେ ଏକ୍ୟୁଆଇ ୩୦୦ ଅତିକ୍ରମ କରିବାରୁ ଏହି ପଦକ୍ଷେପର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି। ଏହା ‘ଅତି ଖରାପ’ ବର୍ଗରେ ଆସୁଛି। ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ନିଆଯିବା ସତ୍ତ୍ୱେ ସ୍ଥିତିରେ ସୁଧାର ନ ଆସିବା ଚିନ୍ତା ବଢ଼ାଇଛି।
ଗୁରୁବାର ଅପରାହ୍ଣରେ ଦିଲ୍ଲୀର ଏକ୍ୟୁଆଇ ପ୍ରାୟ ୧୧୦ରୁ ୧୧୫ ମଧ୍ୟରେ ଥିଲା। କିନ୍ତୁ ଶୁକ୍ରବାର ସକାଳେ ଏହା ୩୩୭ରେ ପହଞ୍ଚିଥିଲା। ଗ୍ରାପ୍ର ପ୍ରଥମ ପର୍ଯ୍ୟାୟରେ ନିର୍ମାଣସ୍ଥଳରେ ଧୂଳି ନିୟନ୍ତ୍ରଣ, ଯାନ୍ତ୍ରିକ ଉପାୟରେ ରାସ୍ତା ସଫା ଏବଂ ଖୋଲା ସ୍ଥାନରେ ଆବର୍ଜନା ଜାଳିବା ରୋକିବା ଭଳି ପଦକ୍ଷେପ ରହିଛି। ତେବେ ସେଣ୍ଟର ଫର୍ ରିସର୍ଚ୍ଚ ଅନ୍ ଏନର୍ଜି ଆଣ୍ଡ୍ କ୍ଲିନ୍ ଏୟାର୍ (ସିଆର୍ଇଏ)ର ଅକ୍ଟୋବର ୨୨ରେ ପ୍ରକାଶିତ ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ୨୦୨୨ରେ ଗ୍ରାପ୍ର ସଂଶୋଧନ ପରଠାରୁ ଦିଲ୍ଲୀର ଶୀତକାଳୀନ ବାୟୁ ଗୁଣବତ୍ତାରେ ନିୟମିତ ଉନ୍ନତି ହୋଇନାହିଁ। ତେଣୁ କେବଳ ଜରୁରିକାଳୀନ କଟକଣା ନୁହେଁ, ପ୍ରଦୂଷଣର ଉତ୍ସଗୁଡ଼ିକ ଉପରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଓ ନିୟମର କଡ଼ାକଡ଼ି ଅନୁପାଳନ ଆବଶ୍ୟକ ବୋଲି ବିଶ୍ଳେଷଣରେ ଗୁରୁତ୍ୱ ଦିଆଯାଇଛି।
Powered by Froala Editor