ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା
ଭାରତୀୟ ସେୟାର ବଜାର ଇତିହାସରେ ପ୍ରଥମ ଥର ପାଇଁ ଜିଓ ଆଇପିଓ ପାଇଁ ଆବେଦନ ସଂଖ୍ୟା ୧ କୋଟି ଅତିକ୍ରମ କରିଛି। ଜିଓ ପ୍ଲାଟଫର୍ମ୍ସର ୩୦,୨୧୩ କୋଟି ଟଙ୍କାର ଆଇପିଓ ଶୁକ୍ରବାର ତୃତୀୟ ତଥା ଶେଷ ଦିନରେ ଏହି ରେକର୍ଡ ସୃଷ୍ଟି କରିଛି। ନିବେଶକଙ୍କ ଅଭୂତପୂର୍ବ ଉତ୍ସାହ ମଧ୍ୟରେ ଆଇପିଓ ମୋଟ ୬.୮୯ ଗୁଣ ସବସ୍କ୍ରାଇବ୍ ହୋଇସାରିଛି। ବୃହତ୍ ସଂସ୍ଥାଗତ ନିବେଶକ (କ୍ୟୁଆଇବି) ବର୍ଗରେ ଏହା ୧୪.୩୮ ଗୁଣ ସବସ୍କ୍ରାଇବ୍ ହୋଇଛି।
ଜିଓ ଆଇପିଓ ଅକ୍ଟୋବର ୨୧ ତାରିଖରେ ଖୋଲିଥିଲା। ପ୍ରଥମ ଦିନରେ ହିଁ ଏହା ୩.୧୬ ଗୁଣ ସବସ୍କ୍ରିପ୍ସନ୍ ହାସଲ କରିଥିଲା, ଯାହା ଦ୍ୱିତୀୟ ଦିନରେ ବୃଦ୍ଧି ପାଇ ୫.୫୭ ଗୁଣରେ ପହଞ୍ଚିଥିଲା।ଶୁକ୍ରବାର, ଅକ୍ଟୋବର ୨୩ ଥିଲା ଆବେଦନର ଶେଷ ଦିନ। ଆଇପିଓ ପ୍ରତି ଅଭୂତପୂର୍ବ ସମର୍ଥନ ମିଳିଛି। ଶୁକ୍ରବାର ମଧ୍ୟାହ୍ନ ଯାଏଁ ଉପଲବ୍ଧ ତଥ୍ୟ ଅନୁଯାୟୀ, ଆଇପିଓ ପାଇଁ ଏପର୍ଯ୍ୟନ୍ତ ମୋଟ ୧,୦୦,୧୫,୧୧୮ଟି ଆବେଦନ ମିଳିଛି।
ଜିଓ ଆଇପିଓ ପ୍ରତି ନିବେଶକଙ୍କ ଉତ୍ସାହ ସମସ୍ତ ପ୍ରମୁଖ ବର୍ଗରେ ଦୃଢ଼ ରହିଛି। ଅଣ-ସଂସ୍ଥାଗତ ନିବେଶକ (ଏନଆଇଆଇ) ବର୍ଗ ୯.୩୮ ଗୁଣ ସବସ୍କ୍ରାଇବ୍ ହୋଇଛି। ରିଟେଲ ବା ଖୁଚୁରା ନିବେଶକଙ୍କ ବର୍ଗ ୨.୦୭ ଗୁଣ, ରିଲାଏନ୍ସ କର୍ମଚାରୀଙ୍କ ପାଇଁ ସଂରକ୍ଷିତ କୋଟା ୨.୪୮ ଗୁଣ ଏବଂ ସେୟାରଧାରକଙ୍କ କୋଟା ୫.୬୮ ଗୁଣ ସବସ୍କ୍ରାଇବ୍ ହୋଇଛି।
Powered by Froala Editor