ନୟାପଲ୍ଲୀ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ବେଳେ ପୋଲିସ ଓ ଅଭିଯୁକ୍ତ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଉପରକୁ ଅଭିଯୁକ୍ତ ଫାୟାରିଂ କରିବାରୁ ପାଲଟା ଗୁଳି ଚଳାଇଥିଲା ପୋଲିସ। ଗୁଳିଟି ଅଭିଯୁକ୍ତଙ୍କ ଗୋଡ଼ରେ ବାଜିଥିବାବେଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
କିଛି ଦିନ ତଳେ ନୟାପଲ୍ଲୀ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ସମ୍ବେଦନଶୀଳ ମାମଲାକୁ ଗୁରୁତର ସହ ନେଇ କମିଶନରେଟ୍ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଟିମ୍ ଅଭିଯୁକ୍ତ ଲୁଚି ରହିଥିବା ସ୍ଥାନରେ ଚଢ଼ାଉ କରିଥିଲା।
ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଅଭିଯାନ ଚଳାଇଥିଲା। ଏହି ସମୟରେ ଅଭିଯୁକ୍ତ ପୋଲିସ କବଳରୁ ଖସିଯିବାକୁ ଉଦ୍ୟମ କରିଥିଲା। ଖସିବା ପାଇଁ ସେ ପୋଲିସ ଟିମ୍ ଉପରକୁ ଗୁଳି ଚଳାଇଥିବା କୁହାଯାଉଛି। ଆତ୍ମରକ୍ଷା ଓ ଅଭିଯୁକ୍ତକୁ କାବୁ କରିବା ପାଇଁ ପୋଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା। ଗୋଟିଏ ଗୁଳି ଅଭିଯୁକ୍ତଙ୍କ ବାମ ଗୋଡ଼ରେ ବାଜିଥିଲା, ଯାହା ଫଳରେ ସେ ସେହିଠାରେ ପଡ଼ିଯାଇଥିଲେ।
ଏହି ଏନ୍କାଉଣ୍ଟର ସ୍ଥଳରୁ ପୋଲିସ ଗୋଟିଏ ବାନ୍ଧୁକ ଏବଂ କିଛି ଜୀବନ୍ତ ଗୁଳି ଜବତ କରିଛି। ଅଭିଯୁକ୍ତ ସୁସ୍ଥ ହେବା ପରେ ତାଙ୍କୁ ଅଧିକ ପଚରାଉଚରା କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
Powered by Froala Editor