ଭାରତରେ ‘Apple Pay’ ପ୍ରବେଶ
ପ୍ରାୟ ୧୨ ବର୍ଷର ଦୀର୍ଘ ଅପେକ୍ଷା ପରେ ଭାରତୀୟ ବଜାରରେ ‘ଆପଲ୍ ପେ’ ପ୍ରବେଶ କରିଛି । ଏହି ସେବା ଆସିବା ପରେ ଏବେ ଦେଶର ଆଇଫୋନ୍, ଆଇପ୍ୟାଡ୍ ଏବଂ ଆପଲ୍ ୱାଚ୍ ୟୁଜର୍ସମାନେ ଅତି ସହଜରେ ଡିଜିଟାଲ୍ ପେମେଣ୍ଟ କରିପାରିବେ । ବର୍ତ୍ତମାନ ପାଇଁ ଏହା କେବଳ ଏକ୍ସିସ୍ ବ୍ୟାଙ୍କର ଭିସା ଏବଂ ମାଷ୍ଟରକାର୍ଡ କ୍ରେଡିଟ୍ କାର୍ଡ ସହିତ କାର୍ଯ୍ୟ କରିବ ।
ପ୍ରଥମେ ଆପଣଙ୍କୁ ଆପଲ୍ ୱାଲେଟ୍ ଆପ୍ କୁ ଯାଇ ନିଜର ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡକୁ ସଂଯୋଗ କରିବାକୁ ପଡ଼ିବ । ଯେଉଁ ସବୁ ସ୍ଥାନରେ କଣ୍ଟାକ୍ଟଲେସ୍ ପେମେଣ୍ଟ ମେସିନ୍ ଉପଲବ୍ଧ ଅଛି, ସେଠାରେ ଆପଣ ନିଜର ଆଇଫୋନ୍ ବା ଆପଲ୍ ୱାଚ୍କୁ ପେମେଣ୍ଟ ଟର୍ମିନାଲ୍ ପାଖରେ ନେଇ ପେମେଣ୍ଟ୍ କରିପାରିବେ । ଏହି ପେମେଣ୍ଟ ପ୍ରକ୍ରିୟାକୁ ଫେସ୍ ଆଇଡି, ଟଚ୍ ଆଇଡି କିମ୍ବା ଡିଭାଇସ୍ ପାସକୋଡ୍ ଜରିଆରେ ଅତି ସୁରକ୍ଷିତ ଭାବେ ଅନୁମୋଦନ କରାଯାଇପାରିବ । ଏହାଫଳରେ ପ୍ରତିଥର ପର୍ସରୁ କାର୍ଡ ବାହାର କରିବା କିମ୍ବା ଦୋକାନୀଙ୍କୁ କାର୍ଡର ଗୋପନୀୟ ତଥ୍ୟ ଦେବା ଆବଶ୍ୟକ ପଡ଼ିବ ନାହିଁ ।
ଦେଶର ଅନ୍ୟ ଅଗ୍ରଣୀ ବ୍ୟାଙ୍କ ଯଥା HDFC Bank, ICICI Bank ଏବଂ SBI ର କାର୍ଡଗୁଡ଼ିକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇନାହିଁ । ଆପଲ୍ ଆଗାମୀ ଦିନରେ ଅନ୍ୟ ବ୍ୟାଙ୍କଗୁଡ଼ିକ ସହିତ ସହଯୋଗିତା ବୃଦ୍ଧି କରିବାକୁ ଯୋଜନା କରୁଛି । ଯଦି ଆପଣଙ୍କ ପାଖରେ ଆକ୍ସିସ୍ ବ୍ୟାଙ୍କର ଭିସା କିମ୍ବା ମାଷ୍ଟରକାର୍ଡ କ୍ରେଡିଟ୍ କାର୍ଡ ଅଛି, ତେବେ ଆପଣ ଏହାକୁ ଆପଲ୍ ୱାଲେଟ୍ ରେ ଯୋଡ଼ି ଏହି ସେବାର ମଜା ନେଇପାରିବେ । ଆକ୍ସିସ୍ ବ୍ୟାଙ୍କର RuPay କାର୍ଡ ବର୍ତ୍ତମାନ ଏଥିରେ ସପୋର୍ଟ କରୁନାହିଁ ।
Powered by Froala Editor