ପୂରା ଗାଁ ବିକ୍ରି ପାଇଁ ଲାଗିଲା ପୋଷ୍ଟର, ଜାଣନ୍ତୁ କେଉଁଠି ?
ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ତୁଲସୀ ଗାଁ ଚାଷୀମାନେ ଅଭିନବ ପ୍ରତିବାଦ କରିଛନ୍ତି। ଦୀର୍ଘବର୍ଷ ଧରି ଜଳସେଚନ ପାଇଁ ପାଣି ନ ମିଳିବାରୁ ଗାଁରେ ‘ଗାଁ ବିକ୍ରି ହେବ’ ବୋଲି ପୋଷ୍ଟର ଲଗାଯାଇଛି। ତୁଲସୀ ଗାଁ ସୀନା-ମାଢା ଲିଫ୍ଟ ଇରିଗେସନ୍ ପ୍ରକଳ୍ପଠାରୁ ପ୍ରାୟ ୯ କିଲୋମିଟର ଦୂରରେ ଥିବା ସତ୍ତ୍ୱେ ଗାଁକୁ ଏହାର ସ୍ଥାୟୀ ଲାଭ ମିଳୁନ। ଏହି ପ୍ରକଳ୍ପ ୨୦୦୦ ମସିହାରୁ ଆରମ୍ଭ ହୋଇଥିଲେ ମଧ୍ୟ ତୁଲସୀର ଜଳସେଚନ ସମସ୍ୟା ଅବ୍ୟାହତ ରହିଛି। ଗାଁର ସରପଞ୍ଚ ଶରଦ ମୋରେଙ୍କ କହିବା ଅନୁସାରେ, ଦୀର୍ଘ ୨୫ ବର୍ଷ ହେଲା ଗ୍ରାମବାସୀ ଜଳସେଚନ ସୁବିଧା ପାଇଁ ଦାବି କରୁଛନ୍ତି। ଏହା ପ୍ରକୃତରେ ଗାଁ ବିକ୍ରି ପାଇଁ ଘୋଷଣା ନୁହେଁ, ବରଂ ପ୍ରଶାସନ ପ୍ରତି ଅସନ୍ତୋଷ ପ୍ରକାଶର ଏକ ପ୍ରତୀକାତ୍ମକ ଉପାୟ। ‘ଗାଁ ବିକ୍ରି ହେବ’ ପୋଷ୍ଟରଟି ସେହି ନିରାଶା ଓ କ୍ଷୋଭର ପ୍ରତିଫଳନ ବୋଲି ସେ କହିଛନ୍ତି।
ରିପୋର୍ଟ ଅନୁସାରେ, ମାଢା ଅଞ୍ଚଳର ଅନେକ ଗାଁରେ ପ୍ରାୟ ୪୫ ଦିନ ଧରି ବର୍ଷା ହୋଇନାହିଁ। ତୁଲସୀର ଜଳାଶୟରେ ପାଣି ପ୍ରାୟ ନାହିଁ, ଅନେକ କୂଅ ଓ ଜଳସଞ୍ଚୟ ସ୍ଥଳ ମଧ୍ୟ ଶୁଖିଯାଇଛି। ଗାଁକୁ ଜୁଲାଇ ମାସଠାରୁ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଣ ହେଉଥିବା କୁହାଯାଇଛି। ଗ୍ରାମବାସୀଙ୍କ ଆଶଙ୍କା, ମୌସୁମୀ ବର୍ଷା ଶେଷ ହେବା ପରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ ଏବଂ ପ୍ରାୟ ୨,୭୦୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇପାରେ।
ଜଳସେଚନ ସମସ୍ୟାକୁ ନେଇ ଗ୍ରାମବାସୀ ପୂର୍ବରୁ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଓ ପ୍ରତିବାଦ କରିଥିଲେ। ସେମାନେ ତହସିଲ ପ୍ରଶାସନକୁ ସ୍ମାରକପତ୍ର ଦେଇଥିବା ସହ ପାଣି ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଭବିଷ୍ୟତ ନିର୍ବାଚନ ବହିଷ୍କାର କରିବା ନେଇ ମଧ୍ୟ ଚେତାବନୀ ଦେଇଥିଲେ।
ପ୍ରତିବାଦ ପରେ ସୋଲାପୁର ଜିଲ୍ଲା ପ୍ରଶାସନ ମାମଲାକୁ ଗୁରୁତ୍ୱ ଦେଇଛି। ରିପୋର୍ଟ ଅନୁସାରେ, ଜଳସେଚନ ବିଭାଗ ତୁଲସୀ ଅଞ୍ଚଳର ହାଇଡ୍ରୋଲଜିକାଲ୍ ସର୍ଭେ କରିଛି। ସର୍ଭେର ଫଳାଫଳ ଆଧାରରେ ଗାଁକୁ କେନାଲ୍ ନେଟୱର୍କ ସହ ଯୋଡ଼ିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଯିବ ବୋଲି ସୋଲାପୁର ଜିଲ୍ଲାପାଳ ଏସ୍. କାର୍ତ୍ତିକେୟନ୍ କହିଥିବା ରିପୋର୍ଟରେ ଉଲ୍ଲେଖ ଅଛି।
Powered by Froala Editor