ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ
ନୂଆଦିଲ୍ଲୀ: ମୃତ୍ୟୁ ସହ ଲଢି ଫ୍ଲାଏଦୁବାଇ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ସ୍ମିତ୍ ମଚ୍ଛାରଙ୍କ ସହ କଥା ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ନେତନ୍ୟାହୁ । ଇସ୍ରାଏଲ, ଭାରତ ଓ ସାରା ବିଶ୍ବର ହିରୋ ଭାବେ ମଚ୍ଛାରଙ୍କୁ ସମ୍ବୋଧନ କରିଛନ୍ତି । ଇସ୍ରାଏଲ ସ୍ବାଧୀନତା ସମାରୋହରେ ସ୍ମିତଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି ନେତନ୍ୟାହୁ । ମଶାଲ ପ୍ରଜ୍ବଳନ ଦିବସରେ ସାମିଲ ହେବାକୁ ଆମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜର ପ୍ରିୟ ବନ୍ଧୁ ଭାବେ ସମ୍ବୋଧନ କରିବା ସହ ତାଙ୍କୁ ମଧ୍ୟ ସ୍ବାଧୀନତା ସମାରୋହରେ ଯୋଗ ଦେବାକୁ ଆମନ୍ତ୍ରଣ କରିଛନ୍ତି ବେଞ୍ଜାମିନ୍ ନେତନ୍ୟାହୁ ।
ନେତନ୍ୟାହୁ ମଚ୍ଛାରଙ୍କୁ ସମଗ୍ର ବିଶ୍ୱର "ହିରୋ" ବୋଲି କହିଛନ୍ତି । କାରଣ ସେ ତାଙ୍କ ସହ-ପାଇଲଟଙ୍କ ଦ୍ୱାରା ଇସ୍ରାଏଲ ଅଭିମୁଖେ ଯାତ୍ରା କରୁଥିବା ଫ୍ଲାଏଦୁବାଇ ବିମାନକୁ ଦୁର୍ଘଟଣାଗ୍ରସ୍ତରୁ ବଞ୍ଚାଇଥିଲେ । ବର୍ତ୍ତମାନ ୟୁଏଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କ୍ୟାପ୍ଟେନ୍ ପାଇଲଟ ସ୍ମିତ୍ଙ୍କ ସହ କଥା ହୋଇଥିଲେ ନେତନ୍ୟାହୁ । ଇସ୍ରାଏଲର ସ୍ୱାଧୀନତା ଦିବସରେ ମଶାଲ ଜାଳିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ମିତ୍ଙ୍କୁ ନିମନ୍ତ୍ରଣ କରିଛନ୍ତି । ୩୮ ବର୍ଷିୟ ମଚ୍ଛାରଙ୍କ ସହ ବାର୍ତ୍ତାଳାପ ସମୟରେ ନେତାନ୍ୟାହୁ କହିଛନ୍ତି, "ଏହା ହେଉଛି ଆମର ସ୍ୱାଧୀନତା ଦିବସରେ ଆମେ ଦେଇଥିବା ସର୍ବୋଚ୍ଚ ସମ୍ମାନ । ସାଧାରଣତଃ ଏହା ଇସ୍ରାଏଲର ନାଗରିକମାନଙ୍କ ପାଇଁ ହୋଇଥାଏ, କିନ୍ତୁ ମୁଁ ଭାବୁଛି ଏହି କ୍ଷେତ୍ରରେ ଇସ୍ରାଏଲର ସମସ୍ତ ନାଗରିକ ଆପଣଙ୍କୁ ଏହି ସମ୍ମାନ ଦେବ । ତେଣୁ ଆମେ ଆପଣଙ୍କୁ ଖୁବ୍ ଶୀଘ୍ର ଇସ୍ରାଏଲରେ ଦେଖିବା ପାଇଁ ଆଶା କରୁଛୁ ।''
ବାର୍ତ୍ତାଳାପରେ କ୍ୟାପଟେନ୍ ସ୍ମିତ୍ କହିଛନ୍ତି ଯେ, ''ଆକ୍ରମଣ ପୂର୍ବରୁ ସହ-ପାଇଲଟ୍ ନମାଜ ପଢିବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ସେ ସମ୍ମାନ ଜଣାଇ ଅନ୍ୟ ପାର୍ଶ୍ୱକୁ ଯାଇଥିଲେ । କିଛି ମିନିଟ୍ ପରେ, ମୋ ମୁଣ୍ଡର ପଛପଟରେ ଆଘାତ ଅନୁଭବ କରିଥିଲି ଏବଂ ସେ ଲଗାତାର ଆକ୍ରମଣ କରି ଚାଲିଲେ । ମୁଁ ଭାବିଲି ବିମାନରେ କିଛି ଘଟିଛି । ଏହା ପରେ ପଛପଟୁ ଆଉ ଥରେ ଆକ୍ରମଣ ହୋଇଥିଲା । ଏହାପରେ ମୁଁ ଜାଣିପାରିଥିଲି ଯେ, ଏହି ଆକ୍ରମଣ କୋ-ପାଇଲଟ୍ କରିଛନ୍ତି । ମୁଁ କକପିଟ୍ କବାଟ ଖୋଲି ଦେଇଥିଲି କିନ୍ତୁ ଓମାନୀ ପାଇଲଟ୍ ପୁଣି ବନ୍ଦ କରି ଦେଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ମୁଁ ପାଣି କକ୍ପିଟ୍ ଡୋଲ୍ ଖୋଲିଥିଲି ଆଉ ତଳେ ପଡିଯାଇଥିଲି । ଲୋକମାନେ ଆସି ତାଙ୍କୁ କାବୁ କରିଥିଲେ ।'' ବିମାନଟି ସାଉଦି ଆରବରେ ଜରୁରୀକାଳୀନ ଅବତରଣ କରିଥିଲା ।
ଭାରତୀୟ ପାଇଲଟଙ୍କ ସାହସ ପାଇଁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୧୭୪ ଯାତ୍ରୀ । ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ଆଜି ଇସ୍ରାଏଲଠୁ ନେଇ ଆମେରିକା ରାଷ୍ଟ୍ରପତି ଗ୍ଲୋବାଲ୍ ହିରୋ ବୋଲି କହୁଛନ୍ତି । ତାଙ୍କ ସାହାସ ପାଇଁ ବିମାନ ଦୁର୍ଘଟଣା ଟଳି ଯାଇଛି । ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି । ବର୍ତ୍ତମାନ ସ୍ମିତ୍ ମଚ୍ଛାର ଚିକିତ୍ସାଧୀନ ଅଛନ୍ତି । ଭାରତର ପୁଅ ସ୍ମିତ୍ ମଚ୍ଛାରଙ୍କୁ ଗତକାଲି ସାଉଦି ପ୍ରିନ୍ସ ଭେଟିଥିଲେ । ସାମର୍ଥ୍ୟ, ଶକ୍ତି, ବୀରତା, ଧୈର୍ଯ୍ୟ, ପରାକ୍ରମର ପ୍ରତୀକ କ୍ୟାପଟେନ ସ୍ମିତ୍ । ଦେଶ ତାଙ୍କ ପାଇଁ ଆଜି ଗର୍ବିତ ।
Powered by Froala Editor