ବେଦ ପଢି ଇସ୍ରୋ ବୈଜ୍ଞାନିକ
କେରଳର ଗୋବିନ୍ଦ କୃଷ୍ଣନ ଏମ୍ ବେଦ ଅଧ୍ୟୟନ କରି ବୈଜ୍ଞାନିକ ହୋଇଛନ୍ତି । ଯେଉଁ ବୟସରେ ପିଲାମାନେ ସ୍କୁଲରେ ଖେଳକୁଦ କରନ୍ତି, ଗୋବିନ୍ଦ ସେହି ବୟସରେ ସମ୍ପୂର୍ଣ୍ଣ ଭିନ୍ନ ରାସ୍ତା ଆପଣେଇଲେ । ସେ ଚତୁର୍ଥ ଶ୍ରେଣୀରେ ରେଗୁଲାର୍ ସ୍କୁଲ ଯିବା ଛାଡ଼ିଦେଲେ । ଏହାପରେ ସେ ଗୁରୁକୁଳରେ ବେଦ ଅଧ୍ୟୟନ କରିବା ଆରମ୍ଭ କଲେ । ଇଂଲିସ୍ ମିଡିଅମ୍ ସ୍କୁଲରେ ପଢିବାକୁ ପ୍ରତିଯୋଗିତା ଚାଲିଥିବା ବେଳେ ସେ ପାରମ୍ପରିକ ଶିକ୍ଷା ଗ୍ରହଣ କରିବାକୁ ମନ ବଳାଇଲେ । କେହି ଭାବି ନଥିଲେ ଗୁରୁକୂଳରେ ପଢି ଗୋବିନ୍ଦ ଦିନେ ଇସ୍ରୋରେ ବୈଜ୍ଞାନିକ ହେବେ ।
କନ୍ନୁରର ଗୋବିନ୍ଦ କୃଷ୍ଣନ ୨୦୧୧ ମସିହାରେ ପୟାନୁର କେନ୍ଦ୍ରୀୟ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପାସ୍ କରିଥିଲେ । ଏହାପରେ ସେ କେରଳର ତ୍ରିଶୁର ସ୍ଥିତ ବ୍ରହ୍ମସ୍ଵମ ମଠର ଗୁରୁକୂଳରେ ଅଧ୍ୟୟନ କରିବା କରିବା ଆରମ୍ଭ କଲେ । ସ୍କୁଲରେ ଗୁରୁକୂଳରେ ସକାଳ ୫ଟାରେ ତାଙ୍କର ସକାଳର ଆରମ୍ଭ ହେଉଥିଲା । ସେ ନିୟମିତ ଅଭ୍ୟାସ ଓ ଅନୁଶାସନ ସହ ବେଦ ଶିଖିଲେ । ସେ ୫ ବର୍ଷିୟା ବୈଦିକ ଅଧ୍ୟୟନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ହେଲେ ନିଜର ଅଧ୍ୟବସାୟ ବଳରେ ସେ ଏହାକୁ ୪ ବର୍ଷରେ ଶେଷ କରିଦେଲେ । ତାଙ୍କ ବ୍ୟାଚରେ ପାଞ୍ଚ ଜଣ ବିଦ୍ୟାର୍ଥୀ ଥିଲେ । ସମସ୍ତେ ଯର୍ଜୁବେଦ ଅଧ୍ୟୟନ କରୁଥିଲେ ।
ଗୁରୁକୂଳରେ ପଢିବା ପରେ ଗୋବିନ୍ଦ ପାରମ୍ପରିକ ଭାରତୀୟ ଜ୍ଞାନ ପରମ୍ପରାକୁ ଅତି ନିକଟରୁ ଜାଣିପାରିଲେ । ବେଦ ଶିକ୍ଷା ପରେ ଗୋବିନ୍ଦ ଆଧୁନିକ ଶିକ୍ଷା ଆଡ଼କୁ ପାଦ ବଢାଇଲେ । ସେ ପାରମ୍ପରିକ ଅଧ୍ୟୟନ ସହ ମୁଖ୍ୟଧାରା ପାଠପଢା ଜାରି ରଖିଲେ । ଅଷ୍ଟମରୁ ୧୦ମ ଯାଏଁ ସେ ନାଡକ୍କାବୁ ସ୍ଥିତ ବିବେକାଦୟମ ସ୍କୁଲରେ ପାଠ ପଢିଲେ । ଏହାପରେ ସେ କର୍ଣ୍ଣାଟକ ମୁଡବିଦ୍ରୀ ସ୍ଥିତ ଅଲ୍ଵା କଲେଜରେ ଦ୍ଵାଦଶ ପାସ୍ କରିଥିଲେ । ଏହାପରେ ସେ ଜେଇଇ ମେନ ଆଡଭାନ୍ସଡ୍ କ୍ରାକ୍ କରିଥିଲେ । ୨୦୨୧ରେ ସେ ଥିରୁଅନନ୍ତପୁରମ ସ୍ଥିତ ଆଇଆଇଏସଟିରେ ଆଡମିଶନ କରିଥିଲେ । ଏଠାରେ ଅନ୍ତରୀକ୍ଷ ବିଜ୍ଞାନ ଏବଂ ଟେକ୍ନୋଲୋଜି ବିଷୟରେ ପଠା ପଢାଯାଏ । ଏଠାରେ ଗୋବିନ୍ଦ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଇଞ୍ଜିନିୟରିଂରେ ବିଟେକ୍ କଲେ । ଇଞ୍ଜିନିୟରିଂ ସରିବା ପରେ ଗୋବିନ୍ଦ ଇସ୍ରୋ ସେଣ୍ଟ୍ରାଲାଇଜଡ୍ ରିକ୍ର୍ୟୁଟମେଣ୍ଟ ବୋର୍ଡରେ ସଫଳତା ପାଇଲେ । ଏହାପରେ ସେ ଇସ୍ରୋର ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଲେ ।
Powered by Froala Editor