ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ବିପଦ, ବେଲବନ ଆଶ୍ରମକୁ ଚାଲି ଗଲେ
ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ 'ଗୁରୁ କୃପା କୁଞ୍ଜ' ଆଶ୍ରମରେ ଶିଷ୍ୟ ଦୀପକ ଲୋଧୀଙ୍କ ମୃତ୍ୟୁ ପରେ , ଦେଖା ଦେଇଥିବା ବିବାଦ ଏବେ ଆହୁରି ଗମ୍ଭୀର ହେବାରେ ଲାଗିଛି । ଯଦିଓ 'ରାଧା କେଳି କୁଞ୍ଜ ଟ୍ରଷ୍ଟ' ନିରପେକ୍ଷ ତଦନ୍ତରେ ସହଯୋଗ କରିବା ଏବଂ ପ୍ରେମାନନ୍ଦ ମହାରାଜ ଏହି ଘଟଣାରେ ମର୍ମାହତ ହୋଇଥିବା କଥା କହି ଥିଲା, ମାତ୍ର ଏବେ ସ୍ଥାନୀୟ ହିନ୍ଦୁବାଦୀ ନେତା ଓ ସନ୍ଥମାନଙ୍କ ବୟାନ ଏହି ମାମଲାକୁ ଏକ ନୂଆ ମୋଡ଼ ଦେଇଛି ।
ଶ୍ରୀକୃଷ୍ଣ ଜନ୍ମଭୂମି ସଂଘର୍ଷ ନ୍ୟାସର ଅଧ୍ୟକ୍ଷ ଦିନେଶ ଶର୍ମା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ପ୍ରେମାନନ୍ଦ ମହାରାଜଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି। ଆଶ୍ରମ ଭିତରେ ଦୁଇଟି ଗୋଷ୍ଠୀ ସୃଷ୍ଟି ହୋଇଥିବା ଏବଂ କିଛି ମାଫିଆ ତତ୍ତ୍ୱ ମହାରାଜଙ୍କୁ କ୍ଷତି ପହଞ୍ଚାଇପାରନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଶ୍ରୀକୃଷ୍ଣ ଜନ୍ମଭୂମି ସଂଘର୍ଷ ନ୍ୟାସର ଅଧ୍ୟକ୍ଷ ଦିନେଶ ଶର୍ମା ଫଲାହାରୀ ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ଉପରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ସେ କହିଛନ୍ତି ଯେ ଆଶ୍ରମରେ 'ଅସଲି ବନାମ ନକଲି ସନ୍ଥ'ଙ୍କ ଦୁଇଟି ଗୋଷ୍ଠୀ ସୃଷ୍ଟି ହୋଇଛି । ନକଲି ସନ୍ଥମାନଙ୍କ ଗୋଷ୍ଠୀ ସନ୍ଥ ପରମ୍ପରାକୁ ପଛକରି ଜମି ଓ ସମ୍ପତ୍ତିର ବେଆଇନ କାରବାରରେ ଲିପ୍ତ ଅଛନ୍ତି ।
ଏହିଭଳି ଅସାମାଜିକ ତତ୍ତ୍ୱ ପ୍ରାୟ ୧୫ଟି ଆଶ୍ରମକୁ ଜବରଦଖଲ କରି ରଖିଛନ୍ତି, ଯାହାଦ୍ୱାରା ଦୁଃଖିତ ହୋଇ ପ୍ରେମାନନ୍ଦ ମହାରାଜ ତାଙ୍କର ବିଶ୍ୱସ୍ତ ଅସଲି ସନ୍ଥମାନଙ୍କ ସହ କେଳି କୁଞ୍ଜ ଛାଡ଼ି ୨୦ କିଲୋମିଟର ଦୂର ବେଲବନ ଆଶ୍ରମକୁ ଚାଲି ଯାଇଛନ୍ତି ।
ମଥୁରାର ପ୍ରସିଦ୍ଧ ସାଧ୍ୱୀ ଇନ୍ଦୁଲେଖା ମଧ୍ୟ ଦିନେଶ ଶର୍ମା ଫଲାହାରୀଙ୍କ ଦାବିକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ କେତେକ ଅସାମାଜିକ ଏବଂ ଭୂମି ମାଫିଆ ଶ୍ରେଣୀୟ ଲୋକେ ପ୍ରେମାନନ୍ଦ ମହାରାଜଙ୍କ ନାମର ଭୁଲ୍ ଫାଇଦା ଉଠାଇ , ଜମି କବଜା କରିବା ସହ ଆତଙ୍କିତ ପରିବେଶ ସୃଷ୍ଟି କରୁଛନ୍ତି ।
Powered by Froala Editor