ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼
ବକ୍ସ ଅଫିସରେ ଏବେ ଅଜୟ ଦେବଗନଙ୍କ ‘ଦୃଶ୍ୟମ୍ ୩’ (ଦୃଶ୍ୟମ୍: ଦ କନକ୍ଲୁଜନ୍) ଝଡ଼ ସୃଷ୍ଟି କରିଛି । ରିଲିଜ୍ ହେବାର ଦୁଇ ଦିନ ମଧ୍ୟରେ ଏହା ବୈଶ୍ୱିକ ସ୍ତରରେ ମୋଟ ୧୭୭ କୋଟି ଆୟ କରିଛି । ଏଥିସହ ‘ଦୃଶ୍ୟମ୍-୩’ ଚଳିତବର୍ଷ ସର୍ବାଧିକ ଆୟ କରିଥିବା ଶ୍ରେଷ୍ଠ ୧୦ଟି ହିନ୍ଦୀ ଫିଲ୍ମ ତାଲିକାରେ ସାମିଲ ହୋଇଛି ।
ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପୁଣିଥରେ ବିଜୟ ସାଲଗାଓଁକର ଭୂମିକାରେ ନଜର ଆସିଛନ୍ତି ଅଜୟ ଦେବଗନ। ରିଲିଜ୍ର ପ୍ରଥମ ଦିନ ଫିଲ୍ମ ଭାରତରେ ପ୍ରାୟ ₹୬୨ କୋଟି ନେଟ୍ କଲେକ୍ସନ୍ କରିଥିବା ବେଳେ, ଦ୍ୱିତୀୟ ଦିନ ଆଉ ₹୫୩.୫୦ କୋଟି ଆୟ କରିଛି। ଫଳରେ ମାତ୍ର ଦୁଇ ଦିନରେ ଭାରତରେ ଏହାର ମୋଟ ନେଟ୍ କଲେକ୍ସନ୍ ₹୧୧୫.୫୦ କୋଟିରେ ପହଞ୍ଚିଛି। ବୈଶ୍ୱିକ ସ୍ତରରେ ଫିଲ୍ମର ଆୟ ୧୭୭.୧୦ କୋଟି ଯାଏ ପହଞ୍ଚିଛି । ଅଜୟଙ୍କ କ୍ୟାରିୟର ପାଇଁ ମଧ୍ୟ ଏହା ମାଇଲଖୁଣ୍ଟ ସାବ୍ୟସ୍ତ ହେବାକୁ ଯାଉଛି ।
କେବଳ ସେତିକି ନୁହେଁ, ରବିବାରର ଆୟକୁ ମିଶାଇଲେ ‘ଦୃଶ୍ୟମ୍: ୩’ ଖୁବ୍ ସହଜରେ ୩୦୦ କୋଟି କ୍ଲବ୍ରେ ସାମିଲ ହୋଇପାରେ ବୋଲି କୁହାଯାଉଛି । ‘ଦୃଶ୍ୟମ: ଦ କନ୍କ୍ଲୁଜନ୍’କୁ ହିନ୍ଦୀ ‘ଦୃଶ୍ୟମ’ ଫ୍ରାଞ୍ଚାଇଜିର ଶେଷ ଅଧ୍ୟାୟ ଭାବେ ପ୍ରସ୍ତୁତ କରାଯାଇଛି। ନିର୍ଦ୍ଦେଶକ ଅଭିଷେକ ପାଠକ ମଧ୍ୟ ଏହି ଫିଲ୍ମ ସହ ବିଜୟ ସାଲଗାଓଁକରଙ୍କ କାହାଣୀର ଅନ୍ତ ହେବ ବୋଲି ସ୍ପଷ୍ଟ କରିଛନ୍ତି।
ଫିଲ୍ମରେ ଅଜୟ ଦେବଗନଙ୍କ ସହ ତବୁ, ଶ୍ରିୟା ସରନ, ଇଶିତା ଦତ୍ତା, ଜୟଦୀପ ଅହଲାୱତ ଓ ପ୍ରକାଶ ରାଜଙ୍କ ସମେତ ଅନେକ ପରିଚିତ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଫ୍ରାଞ୍ଚାଇଜିର ଶେଷ ଭାଗ ହୋଇଥିବାରୁ ଫିଲ୍ମର କ୍ଲାଇମାକ୍ସ ଓ ସସ୍ପେନ୍ସକୁ ନେଇ ଦର୍ଶକଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଛି।
Powered by Froala Editor