ମହାନଦୀ ଜଳ ବିବାଦ: ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ: କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲୁସି) ଆସନ୍ତା ୨୭ ତାରିଖ ସୁଦ୍ଧା ଭାରତ ସରକାରଙ୍କ ଜଳ ସମ୍ପଦ ମନ୍ତ୍ରଣାଳୟକୁ ମହାନଦୀ ଜଳ ଆବଣ୍ଟନ ନେଇ ରିପୋର୍ଟ ପ୍ରଦାନ କରିବ । ସିଡବ୍ଲୁସି ପକ୍ଷରୁ ଲିଖିତ ଭାବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲକୁ ଏନେଇ ଅବଗତ କରାଯାଇଛି । ଫଳରେ ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଟ୍ରିବ୍ୟୁନାଲ ଦ୍ୱାରା ସ୍ଥିର କରାଯାଇଛି । ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ବେଲା ଏମ୍ ତ୍ରିବେଦୀଙ୍କ ନେତୃତ୍ୱରେ ମହାନଦୀ ଜଳ ବିବାଦ ନେଇ ଶୁଣାଣି ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଶୁଣାଣି ଆରମ୍ଭରେ ଟ୍ରିବ୍ୟୁନାଲ ଦର୍ଶାଇଥିଲେ, ସିଡବ୍ଲୁସିର ସଦସ୍ୟ-ସଚିବ ଏକ ପତ୍ର ଲେଖି ଜଣାଇଛନ୍ତି, ନଭେମ୍ବର ୨୭ କିମ୍ବା ଏହା ପୂର୍ବରୁ ମହାନଦୀ ଜଳ ଆବଣ୍ଟନ ରିପୋର୍ଟ ଭାରତ ସରକାରଙ୍କ ଜଳ ସମ୍ପଦ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ । ଫଳରେ ଟ୍ରିବ୍ୟୁନାଲ ନଭେମ୍ବର ୩୦ ପର୍ୟ୍ୟନ୍ତ ପରବର୍ତ୍ତୀ ଶୁଣାଣି ପାଇଁ ସ୍ଥଗିତ ରଖିିଥିଲେ ।
ସୂତ୍ରରୁ ଜଣାପଡ଼ିଛି, ସିଡବ୍ଲୁସି ନଭେମ୍ବର ୨୭ ସୁଦ୍ଧା ଜଳ ସମ୍ପଦ ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଓ ଛିତଶଗଡ଼ ସମେତ ୫ଟି ରାଜ୍ୟକୁ ନେଇ ବୈଠକ କରିବାର ସମ୍ଭାବନା ରହିଛି । ଏହି ବୈଠକରେ ସିଡବ୍ଲୁସିର ରିପୋର୍ଟ ଉପରେ ଆଲୋଚନା ହେବା ପରେ ଏକ ରାଜନୈତିକ ସହମତି ସୃଷ୍ଟି କରାଯିବ। ଟ୍ରିବ୍ୟୁନାଲ ଯେଉଁ ନିଷ୍ପତ୍ତି ଗ୍ରହଣ କରିବେ ତାହା ସମସ୍ତ ୫ଟି ରାଜ୍ୟ ପାଇଁ ଲାଗୁ ହେବ ।
Powered by Froala Editor