FBIର କ୍ରାଇମ୍ ଡାଟାବେସ୍ରେ ସାଇବର ଆକ୍ରମଣ
ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫବିଆଇର କମ୍ପ୍ୟୁଟର ସିଷ୍ଟମଗୁଡ଼ିକ ପୁଣି ଏକ ସାଇବର ଆକ୍ରମଣର ଶିକାର ହୋଇଛି। ଏଥର ହ୍ୟାକର୍ସମାନେ ଦେଶବ୍ୟାପୀ ଅପରାଧର ରେକର୍ଡ ଥିବା ଡାଟାବେସ୍ଗୁଡ଼ିକୁ ଟାର୍ଗେଟ କରିଛନ୍ତି। ଗତ ୩ ମାସ ମଧ୍ୟରେ ଏଫବିଆଇର ସିଷ୍ଟମ ଉପରେ ଏହା ଦ୍ୱିତୀୟ ବଡ଼ ସାଇବର ଆକ୍ରମଣ।
ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ପରିଚାଳିତ ନ୍ୟାସନାଲ୍ କ୍ରାଇମ୍ ଇନଫର୍ମେସନ୍ ସେଣ୍ଟର (NCIC)ରେ ସନ୍ଦିଗ୍ଧ ସାଇବର ଅନୁପ୍ରବେଶ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ଆମେରିକାର ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି ।
FBI ପକ୍ଷରୁ ପରିଚାଳିତ ନ୍ୟାସନାଲ୍ କ୍ରାଇମ୍ ଇନଫର୍ମେସନ୍ ସେଣ୍ଟର ବା NCIC ହେଉଛି ଆମେରିକାର ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ସିଷ୍ଟମ୍ ଜରିଆରେ ଆମେରିକାର ଫେଡେରାଲ୍, ଷ୍ଟେଟ୍ ଏବଂ ସ୍ଥାନୀୟ ପୁଲିସ ଏଜେନ୍ସିଗୁଡ଼ିକ ପରସ୍ପର ସହ ଯୋଡ଼ି ହୋଇ ରହିଥାନ୍ତି । ଏହି ଡାଟାବେସ୍ରେ ଅପରାଧୀଙ୍କ ପୂର୍ବ ରେକର୍ଡ, ଗିରଫଦାରୀ ୱାରେଣ୍ଟ, ସନ୍ଦିଗ୍ଧଙ୍କ ସୂଚନା ଏବଂ ବ୍ୟାକଗ୍ରାଉଣ୍ଡ ଯାଞ୍ଚ ସମ୍ପର୍କିତ ଅନେକ ସମ୍ବେଦନଶୀଳ ତଥ୍ୟ ରହିଥାଏ । ଆମେରିକାରେ ପୁଲିସ କୌଣସି ସନ୍ଦିଗ୍ଧଙ୍କୁ ଅଟକାଇଲେ କିମ୍ବା କୌଣସି ଅପରାଧର ତଦନ୍ତ କଲେ, ଏହି ଡାଟାବେସ୍ରୁ ତଥ୍ୟ ଯାଞ୍ଚ କରିଥାଏ । ତେଣୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସିଷ୍ଟମ୍ରେ ହ୍ୟାକର୍ସଙ୍କ ଅନୁପ୍ରବେଶ ଅତ୍ୟନ୍ତ ଚିନ୍ତାଜନକ । ଯଦି ଗୁପ୍ତ ତଦନ୍ତ କିମ୍ବା ପୋଲିସର ଅପରେସନ୍ ସମ୍ପର୍କିତ ତଥ୍ୟ ଲିକ୍ ହୋଇଥାଏ, ତେବେ ଏହାର ଫାଇଦା ଉଠାଇପାରନ୍ତି ଅପରାଧୀ । ତେବେ ହ୍ୟାକର୍ସ କେତେ ତଥ୍ୟ ଦେଖିଛନ୍ତି କିମ୍ବା କୌଣସି ଫାଇଲ୍ ଚୋରି କରିଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି ।
ଗୁରୁବାର ଦିନ FBI ନିର୍ଦ୍ଦେଶକ କାଶ ପଟେଲ୍ ଫକ୍ସ ନ୍ୟୁଜ୍ରେ ଏଜେନ୍ସିର ସାଇବର ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ସମ୍ପର୍କରେ ଆଲୋଚନା କରୁଥିଲେ । ଏହି ସମୟରେ ସେ 'ଅପରେସନ୍ ୱିଣ୍ଟର ସିଲ୍ଡ' ବିଷୟରେ ଉଲ୍ଲେଖ କରିଥିଲେ ।
Powered by Froala Editor