ମହିଳାଙ୍କୁ ଦୁଷ୍କର୍ମ ପରେ ଛାତିକୁ ଗୋଇଠା ମାରି ହତ୍ୟା
ଏକ ରେଳ ଡବା ଭିତରୁ ମିଳିଲା ୫୪ ବର୍ଷୀୟ ମହିଳାଙ୍କ ମୃତଦେହ। ମହିଳାଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ରେଳବାଇ ପୁଲିସ ୬ ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ନଭେମ୍ବର ୧୩ ତାରିଖରେ ଏହି ଅପରାଧ ଘଟିଛି। ବଗିିଟିକୁ ଅନ୍ୟ ଏକ ଟ୍ରେନ୍ରେ ବ୍ୟବହାର କରିବାପାଇଁ ସଫା କରିବା ସମୟରେ ଏଥିରୁ ମହିଳାଙ୍କ ମୃତଦେହ ମିଳିଥିଲା। ମହିଳାଙ୍କ ପରିଚୟ ହଠାତ୍ ଜଣାପଡ଼ିନଥିଲା। ରେଳବାଇ ପୁଲିସ ମହିଳାଙ୍କ ସୁନା ମୁଦିରେ ଥିବା ହଲମାର୍କ ବିବରଣୀରୁ ଏହା ଗୁଜରାଟର ବୋଲି ଜାଣିଥିଲା।
ସୂଚନା ଅନୁସାରେ, ନଭେମ୍ବର ୧୩ ତାରିଖ ମଧ୍ୟରାତ୍ରିରେ ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲା ନାଗରକୋଏଲ ରେଳୟାର୍ଡରେ ଏହି ଘଟଣା ଘଟିଥିଲା। ରେଳୟାର୍ଡରେ ରଖାଯାଇଥିବା ଏକ ଅବ୍ୟବହୃତ ଟ୍ରେନ୍ ଡବା ଭିତରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଅନ୍ୟ ଏକ ଟ୍ରେନ୍ରେ ଲଗାଯିବା ପାଇଁ ଡବାଟିକୁ ସଫା କରାଯାଉଥିବା ବେଳେ ମୃତଦେହ ମିଳିଥିଲା।
ମହିଳାଙ୍କ ତାଙ୍କ ହାତରେ ଥିବା ସାପ ଆକୃତିର ଏକ ସୁନା ମୁଦି ପୁଲିସକୁ ବଡ଼ ସୁରାକ୍ ଦେଇଥିଲା। ମୁଦିରେ ଥିବା ହଲମାର୍କ ତଥ୍ୟ ଆଧାରରେ ଏହା ଗୁଜରାଟରୁ ଆସିଥିବା ଜଣାପଡ଼ିଥିଲା। ପରେ ଏହା ଛତିଶଗଡ଼ର ରାୟପୁରସ୍ଥିତ ଏକ ଗହଣା ଦୋକାନକୁ ଯୋଗାଇ ଦିଆଯାଇଥିବା ଜଣାପଡ଼ିଥିଲା। ଦୋକାନରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ ମହିଳାଙ୍କ ପାନ୍ କାର୍ଡ ଓ ମଧ୍ୟପ୍ରଦେଶର ଠିକଣା ହାସଲ କରିଥିଲା। ଏହାପରେ ମହିଳାଙ୍କ ପରିବାରକୁ ଯୋଗାଯୋଗ କରିଥିଲା ପୁଲିସ। ସେ ଗତ ୩ ମାସ ହେବ ନିଜ ଘରୁ ନିଖୋଜ ଥିବା ଜଣାପଡ଼ିଥିଲା।
ଅନ୍ୟପଟେ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରି ପୁଲିସ ପ୍ରଥମେ ୩ ଜଣଙ୍କୁ ସନ୍ଦେହ ଘେରକୁ ନେଇଥିଲା। ଷ୍ଟେସନର ସିସିଟିଭି ଫୁଟେଜ୍ ଯାଞ୍ଚ ବେଳେ ଧଳା ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ଟ୍ରେନ୍ ଡବାରୁ ବାହାରୁଥିବା ଦେଖାଯାଇଥିଲା। ପଚରାଉଚରା ପରେ ସେ ଅପରାଧ ସ୍ୱୀକାର କରିଥିବା ପୁଲିସ କହିଛି। ଅଭିଯୁକ୍ତ ଜଣକ ଷ୍ଟେସନରେ ବୁଲୁଥିବା ଜଣେ ଭିକାରୀ ବୋଲି ଜଣାପଡ଼ିଛି। ମହିଳାଙ୍କ ଛାତିକୁ ଗୋଇଠା ମାରି ହତ୍ୟା କରିଥିବା ସେ ସ୍ୱୀକାର କରିଥିବା କୁହାଯାଉଛି।
Powered by Froala Editor