ଦକ୍ଷିଣ ନାଇଜେରିଆରେ ମିଲିଟାରୀ ବିମାନ କ୍ରାସ୍, ୩୨ ଜଣଙ୍କ ମୃତ୍ୟୁ
ଦକ୍ଷିଣ ନାଇଜେରିଆର ବେନିନ୍ ସିଟିରୁ ଲାଗୋସ୍ ଅଭିମୁଖେ ଯାଉଥିବା ଏକ 'ନିୟମିତ ଅଭିଯାନ'ରେ ଯାଉଥିବା ସାମରିକ ବିମାନ ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ଦକ୍ଷିଣ-ପଶ୍ଚିମ ଓଣ୍ଡୋ ରାଜ୍ୟର ଇଗ୍ବୋକୋଡା ଠାରେ ଏହି ଦୁର୍ଘଟଣା ଘଟିଛି।
ନାଇଜେରିଆର ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ଫେଷ୍ଟସ୍ କେୟାମୋ କହିଛନ୍ତି, ବିମାନଟି ଏଡୋ ରାଜ୍ୟରୁ ଲାଗୋସ୍ ଅଭିମୁଖେ ଏକ ରୁଟିନ୍ ମିଶନରେ ବାହାରିଥିଲା। ତେବେ ମଝି ଆକାଶରେ ରଡାରରୁ ଗାଏବ ହୋଇଯାଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍। ପରେ ଓଣ୍ଡୋ ରାଜ୍ୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା।
ଟିନୁବୁଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ, ରାଷ୍ଟ୍ରପତି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୫ ଜଣ ଯାତ୍ରୀ ଏବଂ ୭ ଜଣ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଆମ ସଶସ୍ତ୍ର ବାହିନୀ ଏବଂ ସମଗ୍ର ଦେଶ ପାଇଁ ଏହା ଏକ ଦୁଃଖଦ ମୁହୂର୍ତ୍ତ ବୋଲି ସେ କହିଛନ୍ତି।
ଟିନୁବୁଙ୍କ ମୁଖପାତ୍ର ବାୟୋ ଓନାନୁଗା ପରବର୍ତ୍ତୀ ସମୟରେ ଏକ ବିବୃତ୍ତିରେ କହିଛନ୍ତି ଯେ, ରାଷ୍ଟ୍ରପତି ‘ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନା କର୍ମଚାରୀଙ୍କ ପାଇଁ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।’ ସେ ଅଧିକାରୀମାନଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ସାରା ଦେଶରେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କହିଛି ଯେ, ମୃତକଙ୍କ ପରିବାରକୁ ସୂଚନା ଦେବା ପରେ ବାୟୁସେନା ସେମାନଙ୍କ ପରିଚୟ ପ୍ରକାଶ କରିବ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏବଂ ବିମାନ ଚଳାଚଳ ମନ୍ତ୍ରୀ ଫେଷ୍ଟସ୍ କେୟାମୋଙ୍କ ଅନୁଯାୟୀ, ବିମାନଟି ଏକ ନୌସେନା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଭୟ ଏହାକୁ ଏକ ATR-42 ବିମାନ ବୋଲି ବର୍ଣ୍ଣନା କରିଛନ୍ତି - ଯାହା ଏକ ଟ୍ୱିନ୍-ଇଞ୍ଜିନ୍ ଟର୍ବୋପ୍ରୋପ୍ ବିମାନ ଏବଂ ଉତ୍ପାଦନକାରୀଙ୍କ ଅନୁଯାୟୀ ଏଥିରେ ୩୦ ରୁ ୫୦ ଜଣ ଯାତ୍ରୀ ଯାତ୍ରା କରିପାରିବେ।
Powered by Froala Editor