ଆଟଲାଣ୍ଟିକ ମହାସାଗର ଉପରୁ ଏୟାର ଆମ୍ୱୁଲାନ୍ସ ନିଖୋଜ
ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ନିଖୋଜ ହୋଇଯାଇଛି। ଏଥିରେ ୬ ଜଣ ଲୋକ ଯାତ୍ରା କରୁଥିଲେ, ଯେଉଁମାନେ ବୋଷ୍ଟନ ଯାଉଥିଲେ। ବିମାନରେ ୨ ଜଣ ପାଇଲଟ, ୨ ଜଣ ମେଡିକାଲ କର୍ମଚାରୀ ଏବଂ ୨ ଜଣ ରୋଗୀଙ୍କୁ ମିଶାଇ ସମୁଦାୟ ୬ ଜଣ ଲୋକ ସବାର ଥିଲେ। ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (FAA) ବିମାନଟି ରାଡାରରୁ ଅଦୃଶ୍ୟ ହେବାର ଖବର ପାଇବା କ୍ଷଣି ସତର୍କ ସୂଚନା (ଆଲର୍ଟ) ଜାରି କରିଥିଲା। ଏହା ପରେ ଆମେରିକୀୟ ତଟରକ୍ଷୀ ବାହିନୀ (US Coast Guard) ନିଜର ଅନୁସନ୍ଧାନକାରୀ ବିମାନ ଏବଂ ସାମୁଦ୍ରିକ ଜାହାଜଗୁଡ଼ିକୁ ମହାସାଗରରେ ନିୟୋଜିତ କରିଛନ୍ତି।
ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ରାତି ପ୍ରାୟ ୧:୨୦ ସମୟରେ ଆଲର୍ଟ ଜାରି କରାଯାଇଥିଲା। ନିଖୋଜ ହୋଇଥିବା ବିମାନଟି କାନାଡ଼ାରେ ପଞ୍ଜୀକୃତ ଏକ ‘ଗଲ୍ଫଷ୍ଟ୍ରିମ G100’ ଜେଟ ଥିଲା, ଯାହାକୁ ‘ଲ୍ୟାଟିଚ୍ୟୁଡ ଏୟାର ଆମ୍ୱୁଲାନ୍ସ’ ପରିଚାଳନା କରୁଥିଲା। ଏହି ବିମାନଟି ୬ ଜଣ ଯାତ୍ରୀଙ୍କୁ ନେଇ ଶନିବାର ସ୍ଥାନୀୟ ସମୟ ରାତି ପ୍ରାୟ ୧୨:୪୧ ରେ ବର୍ମୁଡାର ଏଲ.ଏଫ. ୱାଡେ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଏବଂ ବୋଷ୍ଟନ ଲୋଗାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା। କିନ୍ତୁ ଅବତରଣ ପୂର୍ୱରୁ ଆଟଲାଣ୍ଟିକ ମହାସାଗର ଉପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ବିମାନର ଭଗ୍ନାଂଶ ମିଳିଥିବା ନେଇ ଖବର ମଧ୍ୟ ଆସୁଛି, ମାତ୍ର ଏପର୍ଯ୍ୟନ୍ତ ଏହାର କୌଣସି ଆନୁଷ୍ଠାନିକ ପୁଷ୍ଟି ହୋଇନାହିଁ।
Powered by Froala Editor