ନବଜାତ ଶିଶୁ ମୁହଁରେ ନିଶ !
ଦୁନିଆକୁ ଆସୁ ଆସୁ ମୁହଁରେ ଘନ ନିଶ! ଏହି ଅଜବ ଦୃଶ୍ୟ ଥିବା ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓଟି ଦକ୍ଷିଣ ଆମେରିକା ମହାଦେଶର ଉତ୍ତର-ପଶ୍ଚିମର ଇକ୍ୱାଡୋର ବୋଲି କୁହାଯାଉଛି। ଶିଶୁର ମୁହଁ ଦେଖି କେହି ଆଶ୍ଚର୍ୟ୍ୟ ହେଉଛନ୍ତି ତ ଆଉ କେହି ମଜାଦାର ମିମ୍ ତିଆରି କରିଛନ୍ତି। ଭାଇରାଲ୍ ଭିଡିଓରେ ଦେଖାଯାଉଥିବା ନିଶଟି ପ୍ରକୃତ ବାଳ, ନା ଫଟୋ ଏଡିଟିଂ କିମ୍ବା ଅନ୍ୟ କୌଣସି ପ୍ରଭାବର ଫଳ, ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।
ଶିଶୁର ଉପର ଓଠରେ ଘନ ନିଶ ଭଳି ଦେଖାଯାଉଥିବା କଳା ବାଳ ତାକୁ ଅନ୍ୟ ନବଜାତ ଶିଶୁଙ୍କଠାରୁ ଅଲଗା କରିଦେଇଛି। ଜଣେ ୟୁଜର୍ ମଜାରେ ଲେଖିଛନ୍ତି, ଏହି ଶିଶୁ କିଣ୍ଡରଗାର୍ଟେନ୍(ପ୍ରାକ ବିଦ୍ୟାଳୟ ବ୍ୟବସ୍ଥା) ଯିବା ବୟସରେ ସିଧା ମିଡ୍ଲାଇଫ୍ କ୍ରାଇସିସ୍ରେ ପହଞ୍ଚି ଗଲାଣି! ଆଉ ଜଣେ ଲେଖିଛନ୍ତି, ଜନ୍ମ ହେବାର ମାତ୍ର ଦୁଇ ଘଣ୍ଟା ହୋଇଛି, ହେଲେ ଦେଖିଲେ ଲାଗୁଛି ୯ରୁ ୫ଟା ଚାକିରି କରି କରି ଏବେ ପୂରା ହାଲିଆ! କେବଳ କମେଣ୍ଟ ନୁହେଁ, ଶିଶୁଟିର ଫଟୋକୁ ନେଇ ଏଡିଟିଂର ମଜା ମଧ୍ୟ ଜମିଛି। କେହି ତାକୁ ସେନା ଅଧିକାରୀଙ୍କ ପୋଷାକ ପିନ୍ଧାଇଛନ୍ତି, ତ ଆଉ କେହି ବିଜନେସ୍ମ୍ୟାନ୍ ଭାବେ ଦେଖାଇଛନ୍ତି।
ଡାକ୍ତରୀ ବିଜ୍ଞାନ ଅନୁସାରେ, ଗର୍ଭରେ ଥିବା ସମୟରେ ଶିଶୁର ଶରୀରରେ ‘ଲାନୁଗୋ’ ନାମକ ଅତି ସୂକ୍ଷ୍ମ ଓ ନରମ ବାଳ ଉଠିଥାଏ। ଏହା ସାଧାରଣତଃ ଜନ୍ମ ପୂର୍ବରୁ କିମ୍ବା ଜନ୍ମର କିଛି ସମୟ ପରେ ଝଡ଼ିଯାଏ। କିନ୍ତୁ ଲାନୁଗୋ ବାଳ ସାଧାରଣତଃ ଏତେ ପତଳା ଯେ ତାହା ବୟସ୍କଙ୍କ ଭଳି ଘନ ନିଶ ସୃଷ୍ଟି କରେ ନାହିଁ।
Powered by Froala Editor