ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ
ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତାଙ୍କ କାରକେଡ୍ ଅନ୍ୟ ୫ଟି ଗାଡ଼ି ସହ ଧକ୍କା ହୋଇଛି । ରାହୁଲ ଗାନ୍ଧୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଏକ୍ସପ୍ରେସୱେର ୯୧ କିଲୋମିଟର ମାଇଲଖୁଣ୍ଟ ନିକଟରେ ରାହୁଲଙ୍କ କନଭୟର ୫ଟି ଗାଡି ଏବଂ ଏକ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ କଂଗ୍ରେସ କର୍ମୀ, ପଦାଧିକାରୀ ଓ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।
ରାହୁଲ ଗାନ୍ଧୀଙ୍କର ଏହି ଗସ୍ତ ପ୍ରାୟ ୮ ବର୍ଷ ପୁରୁଣା ମାନହାନି ମାମଲାର କୋର୍ଟ ଶୁଣାଣି ଏବଂ ରାୟ ସହିତ ଜଡିତ । ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ବିରୋଧରେ ରାହୁଲ ଗାନ୍ଧୀ ଦେଇଥିବା ବିବୃତ୍ତି ସହିତ ଏହି ମାମଲା ଜଡିତ । ଲକ୍ଷ୍ନୌରୁ ସୁଲତାନପୁର କୋର୍ଟ ଯାଉଥିବା ବେଳେ ତାଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ବୟାନକୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ମାନହାନି ମାମଲାର ରାୟ ଆଜି ପ୍ରକାଶ ପାଇବାର ସମ୍ଭାବନା ରହିଛି । ଉତ୍ତରପ୍ରଦେଶର ସୁଲତାନପୁର ସ୍ଥିତ ସ୍ୱତନ୍ତ୍ର କୋର୍ଟ (ସାଂସଦ ଓ ବିଧାୟକଙ୍କ ଲାଗି ଉଦ୍ଦିଷ୍ଟ) ଏହି ରାୟ ପ୍ରକାଶ କରିବେ । ତେବେ ରାୟ ପ୍ରକାଶ ପାଇବା ଦିନ ରାହୁଲଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥିତ ରହିବାକୁ ପଡିବ ।
Powered by Froala Editor