ବିଲୁପ୍ତପ୍ରାୟ ସ୍ଲୋ ଲୋରିସ୍ ଚିହ୍ନଟ, ୧୯୩୦ ଦଶକରୁ ଗାଏବ ହୋଇଯାଇଥିଲେ
ବିଲୁପ୍ତପ୍ରାୟ ଘୋଷିତ ହୋଇଥିବା ବିରଳ ‘ବଙ୍ଗକା ସ୍ଲୋ ଲୋରିସ୍’ ପ୍ରଜାତିର ଲାଜକୁଳା ପାତିବାନର ଇଣ୍ଡୋନେସିଆରେ ଦେଖିବାକୁ ମିଳିଛନ୍ତି। ବିରଳ ‘ବଙ୍ଗକା ସ୍ଲୋ ଲୋରିସ୍’ ପ୍ରଜାତିର ଲାଜକୁଳା ପାତିବାନ ୧୯୩୦ ଦଶକରୁ ବିଜ୍ଞାନ ଜଗତରୁ ଗାଏବ ହୋଇଯାଇଥିଲେ ।
ଇଣ୍ଡୋନେସିଆର ସୁମାତ୍ରା ଉପକୂଳସ୍ଥ ବଙ୍ଗକା ଦ୍ୱୀପରେ ଏକ ବନ୍ୟପ୍ରାଣୀ ଉଦ୍ଧାରକାରୀ ସଂସ୍ଥା ପ୍ରାୟ ୯୦ରୁ ଊର୍ଦ୍ଧ୍ୱ ଏହି ପ୍ରଜାତିର ସ୍ଲୋ ଲୋରିସ୍ଙ୍କୁ ଚିହ୍ନଟକରି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସୁରକ୍ଷିତ ଜଙ୍ଗଲକୁ ଫେରାଇ ଦେଇଥିବା ଜଣାପଡ଼ିଛି।
୨୦୨୦ ମସିହାରେ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍) ଏହାକୁ ସଙ୍କଟାପନ୍ନ ଏବଂ ସମ୍ଭାବ୍ୟ ବିଲୁପ୍ତ ବୋଲି ଘୋଷଣା କରିଥିଲା। ତେବେ ୨୦୧୫ରୁ ୨୦୨୫ ମଧ୍ୟରେ ‘ଆଲୋବି ୱାଇଲ୍ଡଲାଇଫ୍ ରେସ୍କ୍ୟୁ ସେଣ୍ଟର’ ଦ୍ୱାରା ୯୦ରୁ ଅଧିକ ସ୍ଲୋ ଲୋରିସ୍ ଉଦ୍ଧାର ହୋଇଥିଲେ। ବିଦ୍ୟୁତ୍ ତାର, ଜନବସତି ଓ ଜଙ୍ଗଲ କ୍ଷୟ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଏହି ଜୀବମାନଙ୍କୁ ଚିକିତ୍ସା ପରେ ୮୬ଟିକୁୁ ନିରାପଦ ଜଙ୍ଗଲରେ ଛଡ଼ାଯାଇଛି।
‘ବଙ୍ଗକା ସ୍ଲୋ ଲୋରିସ୍’ ହେଉଛି ବିଷାକ୍ତ ସ୍ତନ୍ୟପାୟୀ ଜୀବ, ଯାହାକି ଅତ୍ୟନ୍ତ ବିରଳ। ସ୍ଲୋ ଲୋରିସ୍ଙ୍କ କହୁଣି ନିକଟରେ ଥିବା ଏକ ସ୍ୱତନ୍ତ୍ର ଗ୍ରନ୍ଥିରୁ ରସ ନିର୍ଗତ ହୋଇଥାଏ, ଯାହାକୁ ସେମାନେ ନିଜ ସାଲିଭା ସହ ମିଶାଇ କାମୁଡ଼ିବା ଦ୍ୱାରା ଶରୀରକୁ ବିଷ ସଞ୍ଚାରିତ କରନ୍ତି। ଏହି ବିଷ ମଣିଷ ଶରୀରରେ ଗୁରୁତର ଆଲର୍ଜି ଓ ଜୀବନପ୍ରତି ବିପଦ ସୃଷ୍ଟି କରିପାରେ।
Powered by Froala Editor