ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ଜାଣନ୍ତୁ.....
ନୁଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଅପେକ୍ଷା ଆହୁରି ଲମ୍ୱା ହେବାରେ ଲାଗିଛି। ଜୁଲାଇ ୨୦୨୬ ପାଇଁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ସହାୟତା (DR) ବୃଦ୍ଧି ନେଇ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ। ଏବେ ସମସ୍ତଙ୍କ ନଜର ଆଗାମୀ ୨୮ ଅକ୍ଟୋବର ୨୦୨୬ କ୍ୟାବିନେଟ ବୈଠକ ଉପରେ ରହିଛି, ଯେଉଁଠାରେ କେନ୍ଦ୍ର ସରକାର ଡିଏ ବୃଦ୍ଧି ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।
କର୍ମଚାରୀମାନେ ଆଶା କରିଥିଲେ ଯେ ଏଥର ଦୀପାବଳିର ବହୁ ପୂର୍ବରୁ ଅର୍ଥାତ ଅକ୍ଟୋବର ପ୍ରଥମ ସପ୍ତାହରେ ହିଁ ଡିଏ ଉପହାର ମିଳିଯିବ, କିନ୍ତୁ ତାହା ହେଲା ନାହିଁ।
ସାଧାରଣତଃ ଦେଖାଯାଇଛି ଯେ କେନ୍ଦ୍ର ସରକାର ନିଜର ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ କ୍ୟାବିନେଟ ବୈଠକ ଦିନ ହିଁ ଘୋଷଣା କରିଥାନ୍ତି। ଯଦିଓ ଏହା କୌଣସି ଲିଖିତ ନିୟମ ନୁହେଁ, ତଥାପି ୨୮ ଅକ୍ଟୋବରରେ ଡିଏ ଘୋଷଣା ହେବାର ସର୍ବାଧିକ ସମ୍ଭାବନା ଥିବା ବିଶ୍ୱାସ କରାଯାଉଛି।
ନୂଆ ରିପୋର୍ଟ ଏବଂ ତଥ୍ୟ ଅନୁଯାୟୀ, ଏଥର କେନ୍ଦ୍ର ସରକାର ମହଙ୍ଗା ଭତ୍ତାରେ ୩ ପ୍ରତିଶତ (୩%) ବୃଦ୍ଧି କରିପାରନ୍ତି। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୬୦% ହାରରେ ଡିଏ ମିଳୁଛି। ପୂର୍ବଥର ସରକାର ଏଥିରେ ୨% ବୃଦ୍ଧି କରିଥିଲେ, ଯାହାଦ୍ୱାରା ଏହା ୫୮%ରୁ ବୃଦ୍ଧି ପାଇ ୬୦% ହୋଇଥିଲା। ଯଦି ଏଥର ୩% ବୃଦ୍ଧି ଘଟେ, ତେବେ ମୋଟ ମହଙ୍ଗା ଭତ୍ତା ବୃଦ୍ଧି ପାଇ ୬୩%ରେ ପହଞ୍ଚିଯିବ।
Powered by Froala Editor